ନିଜକୁ ଭଗବାନ ଭାବିବାର ଧ୍ରୃଷ୍ଟତା କଲାଣି ରାଜ୍ୟ ଶାସକ ଦଳ- ବିଜେପି
ସମ୍ବଲପୁର, ୨୬ ଏପ୍ରିଲ (ହି.ସ)- ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଗତକାଲି ଏକ ନିର୍ବାଚନୀ ସଭାରେ ରେଢ଼ାଖୋଲ ବିଧାୟକ ପ୍
nijaku bhagaban bhabiba dhhrustata nindaniya


ସମ୍ବଲପୁର, ୨୬ ଏପ୍ରିଲ (ହି.ସ)- ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଗତକାଲି ଏକ ନିର୍ବାଚନୀ ସଭାରେ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଦେଇଥିବା ବୟାନକୁ ନେଇ ଆଜି ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା କରାଯାଇଛି । ଗତକାଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ''ଆମେ ହେଉଛୁ ପାଣ୍ଡବ, ବିଜେପି ହେଉଛି କୌରବ ଓ ଭୁବନେଶ୍ଵରରେ ଆମର ଶ୍ରୀକୃଷ୍ଣ ଅଛନ୍ତି'' ଆକ୍ଷେପ କରିବା ଅତ୍ୟନ୍ତ ଲଜ୍ଯାକର ଘଟଣା ।

ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ପକ୍ଷରୁ ଏହି ଟୀପ୍ପଣିକୁ ଦୃଢ଼ ଶବ୍ଦରେ ନିନ୍ଦା କରାଯାଇଛି । ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ଶ୍ରୀ ରଥ ତାଙ୍କର ବକ୍ତବ୍ୟରେ କହିଛନ୍ତି ଯେ, ଦୀର୍ଘ ସମୟ କାଳ ଶାସନ କ୍ଷମତାରେ ରହିଲା ପରେ ଶାସକ ଦଳର ଗର୍ବ ଅହଙ୍କାର ବହୁ ମାତ୍ରାରେ ବୃଦ୍ଧି ପାଇଛି । ସେମାନେ ବର୍ତ୍ତମାନ ନିଜକୁ ଭଗବାନଙ୍କ ସମକକ୍ଷ ବୋଲି ବିବେଚନା କରିବାର ଧୃଷ୍ଟତା କରିବାର ଆରମ୍ଭ କରିଦେଲେଣି । ନିକଟ ଅତୀତରେ ପ୍ରତାପ ଦେବ ଓଡିଶାର ପରିଚୟ ଶ୍ରୀଜଗନ୍ନାଥ ଆଉ ନାହାଁନ୍ତି ଓ ନବୀନ ପଟ୍ଟନାୟକ ଓଡିଶାର ପରିଚୟ ବୋଲି କହିଥିଲେ । ଗତକାଲି ପ୍ରସନ୍ନ ବାବୁ ତାଙ୍କର ତାମିଲ ଗୁମାସ୍ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କଲେଣି । ଦୀର୍ଘ ୨୫ ବର୍ଷରେ ବିଜେଡି ଦଳର ନେତା ମନ୍ତ୍ରୀ କାର୍ଯ୍ୟକର୍ତ୍ତାଙ୍କ ଆଚାରଣ ଉଚ୍ଚାରଣ ପ୍ରମାଣିତ କରିସାରିଛି ଯେ କିଏ କୌରବ । କୌରବ ମାନଙ୍କର ସମସ୍ତ ବୁଦ୍ଧି, ଗୁଣ, ଚରିତ୍ର ବିଜେଡି ନେତା ମନ୍ତ୍ରୀ କର୍ମୀ ଠାରେ ହିଁ ରହିଛି । ନାରୀ ଅତ୍ୟାଚାର, ନାରୀଙ୍କୁ ଅସମ୍ମାନ, କୂଚକ୍ରାନ୍ତ କରି ଶାସନରେ ରହିବା, ମିଥ୍ୟା କହିବା, ଅଧର୍ମ କରିବା, ବିଶ୍ଵାସଘାତ କରିବା ଭଳି ଅପକର୍ମ ସବୁ ବିଜେଡି ଵାଲାଙ୍କ ପାଖରେ ରହିଛି । କୌରବଙ୍କ ରାଜା ଧୃତରାଷ୍ଟ୍ରଙ୍କ ସମସ୍ତ ପ୍ରକାରର ଅଵଗୁଣ ତାଙ୍କ ଦଳର ସୁପ୍ରିମୋଙ୍କ ପାଖରେ ମଧ୍ୟ ରହିଛି । ପ୍ରକୃତରେ ଓଡ଼ିଶାବାସୀ ଜାଣିଲେଣି ଯେ, ଏମାନେ ହେଉଛନ୍ତି କୌରବ ସେନା ଓ ତାଙ୍କ ଧୃତରାଷ୍ଟ୍ର ଓ ଶକୁନି ଭୁବନେଶ୍ଵରରେ ଅଛନ୍ତି । ବିଜେଡି ଦଳ ସବୁବେଳେ ହିନ୍ଦୁ ଧର୍ମକୁ ଆଘାତ କଲା ଭଳି ମତାମତ ଦିଏ ଓ କାର୍ଯ୍ୟ କରେ । ହିନ୍ଦୁ ଧର୍ମର ଦେବା ଦେବୀଙ୍କୁ ନେଇ କଟାକ୍ଷ କରେ ଓ ଅପମାନିତ କରେ । ଯଦି ତାଙ୍କର ସତସାହସ ଅଛି ତାହେଲେ ଥରେ ଅନ୍ୟ ଧର୍ମର ଆରାଧ୍ୟ ବିଷୟରେ କୌଣସି ପ୍ରକାରର କୁଟିପ୍ପଣୀ ଦେଇ କି ଦେଖନ୍ତୁ ।

ଶ୍ରୀ ରଥ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ବାଲାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠୁଁ ଶାଳୀନତା ଓ ସରଳତାର ଶିକ୍ଷା ନେବା ଉଚିତ । ଗୋଟିଏ ପଟେ ନରେନ୍ଦ୍ର ମୋଦୀ କୁହନ୍ତି ମୁଁ ହେଉଛି ୧୪୦ କୋଟି ଦେଶବାସୀଙ୍କ ପ୍ରଧାନ ସେବକ ତ ଅନ୍ୟ ପଟେ ଧର୍ମେନ୍ଦ୍ର ପ୍ରଧାନ କୁହନ୍ତି ମୁଁ ଆପଣ ମାନଙ୍କର ହଳିଆ । ନିକଟ ଅତୀତରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ମୁଁ ତ ନିମିତ୍ତ ମାତ୍ର, ଲୋକେ ତ ମୋଦୀଙ୍କୁ ଚିହ୍ନନ୍ତି ମୋଦୀଙ୍କୁ ଜାଣନ୍ତି । ମୋଦୀ ବିକଶିତ ଭାରତ ପାଇଁ ତିଆରି କରୁଥିବା ସେତୁ ବନ୍ଧରେ ମୁଁ ତ ସାମାନ୍ୟ ଗୁଣ୍ଡୁଚି ମୂଷା । ଲୋକେ ମୋଦୀଙ୍କୁ ଦେଖି ମୋ ପିଠିକୁ ଆଉଁସି ଦେଲେ ମୁଁ ଖୁସି ।

ଆଜିର ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହିଥିବା ବେଳେ ବରିଷ୍ଠ ବିଜେପି କର୍ମୀ ମୁକେଶ ଜରିୱାଲ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande