କନ୍ଧମାଳ, ୧୫ ଜାନୁଆରୀ(ହି.ସ.) – ୨୦୨୫ ନୁତନ ଇଂରାଜୀ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିକ୍ଷାବୃତି କରି ଚଳୁଥିବା ଫୁଲବାଣୀର ବଦାନ୍ୟ ଭିକ୍ଷୁ ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। ଏହାକୁ ଦେଖି ତୁଳା ବେହେରା ଖୁସିବ୍ୟକ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶ ଯେ, ତୁଳା ଭିକ୍ଷାବୃତି କରି ସଂଚୟ କରିଥିବା ଏକ ଲକ୍ଷ ଟଙ୍କା, ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ଗତ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ତୁଳା ବେହେରାଙ୍କୁ ସଭା ମଂଚରେ ପାଦ ଛୁଇଁ ଆଶିର୍ବାଦ ନେବା ସହିତ ତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଏହି ଅବସରରେ ଫୁଲବାଣୀ ର ଆଇନଜୀବୀ ତଥା ବିଜେପି କାଉନ୍ସିଲର ରମେଶ ଚନ୍ଦ୍ର ମହାନ୍ତିଙ୍କ ଫୋଟ ମଧ୍ୟ ସ୍ଥାନିତ ହୋଇଥିବାରୁ ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ତୁଳା ବେହେରାଙ୍କ ମାଙ୍କ ଦେହାନ୍ତ ପରେ, ସେ ଏକୁଟିଆ ହୋଇଥିବା ଯୋଗୁଁ ଫୁଲବାଣୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଅନ୍ୟାନ୍ୟ ମନ୍ଦିରରେ ଭିକ୍ଷାବୃତି ଆରମ୍ଭ କରିଥିଲେ। ତେବେ ସେ ଏଥିରୁ ଯାହା ପାଉଥିଲେ ସେଥିରୁ ସଂଚୟ କରି ଏକ ଲକ୍ଷ ଟଙ୍କା ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ତେବେ ତାଙ୍କର ନିଜର ଘର ନଥିବା ଯୋଗୁଁ ସେ ଜଣେ ପରିବା ବାଲାଙ୍କ ଘରେ ଶୋଉଛନ୍ତି। ସେହିପରି ଅନ୍ୟ ଭିକାରୀମାନେ ମଧ୍ୟ ବାସହୀନ ହୋଇଥିବା ଯୋଗୁଁ ତୁଳା, ଫୁଲବାଣୀରେ ଗୋଟିଏ ଭିକ୍ଷୁ ନିବାସ କରିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଗଣମାଧ୍ୟମ ଜରିଆରେ। ଭିକ୍ଷୁକମାନଙ୍କ ପାଇଁ ତାଙ୍କର ଏହିଭଳି ଚିନ୍ତା ପାଇଁ ତାଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ଅନ୍ୟ ଭିକ୍ଷୁକମାନେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ