ବଲାଙ୍ଗିର, ୧୫ ଜାନୁଆରି (ହି.ସ.)
ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ଗତ ଦୁଇଦିନ ଧରି ଏକ ଶୈକ୍ଷିକ ପରିଭ୍ରମଣ ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶଙ୍କ ନେତୃତ୍ୱରେ ଅଧ୍ୟାପକ ବାମଦେବ ମେହେର, ଡକ୍ଟର ସୋମନାଥ ପଧାନ, ଡକ୍ଟର ଲିଙ୍ଗରାଜ ମେହେର ଓ ଗ୍ରନ୍ଥାଗାରିକ ମନୋରଞ୍ଜନ ପଟେଲଙ୍କ ସମେତ ୬୫ ଜଣ ଛାତ୍ରଛାତ୍ରୀ ଏହି ଦଳରେ ସାମିଲ ହୋଇଥିଲେ । ପ୍ରଥମ ଦିନ ସକାଳେ ଚିଲିକାରେ ପହଞ୍ଚି ତାର ପ୍ରାକୃତିକ ଶୋଭା ଉପଭୋଗ କରିବା ସହ ଚିଲିକା ଓ କାଳିଜାଇ ସଂପର୍କରେ ଲିଖିତ ସାହିତ୍ୟ କୃତି ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଅନ୍ୟାନ୍ୟ ଦେବଦେବୀ, କଳ୍ପବଟ, ରୋଷଶାଳା ଆଦି ପରିଦର୍ଶନ କରି ସ୍ନାନମଣ୍ଡପ ତଳେ ବସି ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ସଂପର୍କରେ ଆଲୋଚନା ଓ ଜଗନ୍ନାଥଙ୍କ ଭଜନ ଗାନ କରିଥିଲେ । ସେହିଦିନ ଶ୍ରୀକ୍ଷେତ୍ର ପୁରୀରେ ରାତ୍ରିଯାପନ ଉପରାନ୍ତେ ପରଦିନ ସକାଳେ ରାମଚଣ୍ଡୀ, ଚନ୍ଦ୍ରଭାଗା ଓ କୋଣାର୍କ ପରିଭ୍ରମଣ କରି ଓଡ଼ିଆ ସାହିତ୍ୟରେ ତାର ଚିତ୍ରଣକୁ ମନେ ପକାଇଥିଲେ । ସନ୍ଧ୍ୟାରେ କେନ୍ଦୁଝର ଘଟଗାଁରେ ମାଁ ତାରିଣୀଙ୍କୁ ଦର୍ଶନ କରି ସେଠାକାର ସଂଯୋଗୀ ସାହିତ୍ୟ ସଂସଦ, କୁଣ୍ଡାପିଠାର ସଂପାଦକ ବାବୁଲାଲ ପଲେଇ କେନ୍ଦୁଝରର ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଦୁଇ ଦିନିଆ ଶୈକ୍ଷିକ ପରିଭ୍ରମଣକୁ ସଫଳତାର ସହ ସମାପ୍ତ କରି ଆଜି ମହାବିଦ୍ୟାଳୟରେ ପହଞ୍ଚି ଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ଓଡ଼ିଆ ବିଭାଗର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ