କୋମନା ବ୍ଲକ ନୂଆଗାଁରେ ବିଜେଡିର ପ୍ରଚାର ସବୁଠି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା
Bhubaneswar, 24 ଅକ୍ଟୋବର (ହି.ସ.) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସ୍ଥାନୀୟ ଜନସାଧାରଣ ବିପୁଳ ସମ୍ୱର୍ଦ୍ଧନା ଦେଇ ବିଜୁ ଜନତା ଦଳ ପ୍ରତି ବିଶ୍ୱାସ ବ୍ୟକ୍ତ କରିଥିଲେ । ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି
କୋମନା ବ୍ଲକ ନୂଆଗାଁରେ ବିଜେଡିର ପ୍ରଚାର ସବୁଠି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା


Bhubaneswar, 24 ଅକ୍ଟୋବର (ହି.ସ.)

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସ୍ଥାନୀୟ ଜନସାଧାରଣ ବିପୁଳ ସମ୍ୱର୍ଦ୍ଧନା ଦେଇ ବିଜୁ ଜନତା ଦଳ ପ୍ରତି ବିଶ୍ୱାସ ବ୍ୟକ୍ତ କରିଥିଲେ । ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଶ୍ରୀମତୀ ଛୁରିଆ ନୂଆଗାଁରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । କୋମନା ବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତ ଅଧୀନସ୍ଥ ନୂଆଗାଁ ଗ୍ରାମରେ ହଜାର ହଜାର ସମର୍ଥକ, ସାଧାରଣ ଲୋକ ଓ ବିଜେଡି କାର୍ଯ୍ୟକର୍ତ୍ତାମାନେ ମିଶି ବିଜେଡି ପ୍ରାର୍ଥୀ ଶ୍ରୀମତୀ ଛୁରିଆଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ ।

ମଧ୍ୟାହ୍ନ ୧୨ଟା ସମୟରେ ପ୍ରଚାର ଆରମ୍ଭ ହୋଇଥିଲା । ବିଜେଡିର ବରିଷ୍ଠ ନେତା ଓ କର୍ମୀଙ୍କ ଦ୍ୱାରା ଗ୍ରାମରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଛୁରିଆ ସାମିଲ ହୋଇଥିଲେ । ଏହି ବିଶାଳ ଶୋଭାଯାତ୍ରାରେ ନୂଆଗାଁର ଲୋକଙ୍କ ଉତ୍ସାହ ଓ ଆସ୍ଥା ସ୍ପଷ୍ଟ ଭାବରେ ପ୍ରକାଶ ପାଇଥିଲା, ଯାହା ବିଜୁ ଜନତା ଦଳ ଓ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଦୃଢ଼ ବିଶ୍ୱାସକୁ ଦର୍ଶାଇଥିଲା । ପ୍ରଚାର ଆରମ୍ଭ ପୂର୍ବରୁ ଶ୍ରୀମତୀ ଛୁରିଆ ଓ ଅନ୍ୟ ବିଜେଡି ନେତାମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ନୂଆପଡ଼ା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ କହିଥିଲେ ଯେ, କୋମନା ବ୍ଲକର ସମସ୍ତ ମୁଖ୍ୟ ଉନ୍ନୟନ କାର୍ଯ୍ୟ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ହୋଇଛି । ଗତ ୧୬ ମାସରେ ରାଜ୍ୟରେ ରହିଥିବା ବିଜେପି ସରକାର ବିକାଶର ଗତିକୁ ରୋକି ଦେଇଛି । ନୂଆପଡ଼ା ଜିଲ୍ଲାରେ ପ୍ରାୟ ୧୫୦ଟି ସ୍କୁଲ ବନ୍ଦ କରି ଗ୍ରାମୀଣ ଶିକ୍ଷା ବ୍ୟବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରିଛି ।

ଏହି ଅବସରରେ ଶ୍ରୀମତୀ ଛୁରିଆ ତାଙ୍କ ଅଭିଭାଷଣରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ନବୀନ ବାବୁଙ୍କ ଆଶୀର୍ବାଦରେ ନୂଆପଡ଼ା ଲୋକଙ୍କ ସେବା ପାଇଁ ତାଙ୍କୁ ସୁଯୋଗ ମିଳିଛି । ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱପ୍ନକୁ ସେ ପୂରଣ କରିବେ ଏବଂ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ସମସ୍ତ ଉନ୍ନୟନ ପ୍ରକଳ୍ପକୁ ଆଗେଇ ନେବେ । ସେ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ନୂଆପଡ଼ା ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟକୁ ବନ୍ଦ କରିଦେଇଛି ଏବଂ ବିଭିନ୍ନ ଦୁର୍ନୀତି ଓ ଘୋଟାଲାରେ ଜଡ଼ିତ ଅଛି । ପୁଲିସ୍ ସବ୍-ଇନ୍ସପେକ୍ଟର୍ ନିଯୁକ୍ତି ପରୀକ୍ଷା ଘୋଟାଲାର ଉଦାହରଣ ଦେଇ ସେ କହିଥିଲେ ଯେ, ପ୍ରଶ୍ନପତ୍ର ପ୍ରଘଟ ହେବାରୁ ହଜାର ହଜାର ଯୁବକଯୁବତୀ ତାଙ୍କ ଯୋଗ୍ୟତା ଥିବା ସତ୍ତ୍ୱେ ପରୀକ୍ଷା ଦେଇପାରିନାହାନ୍ତି ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ସେ ଲୋକଙ୍କୁ ଆହ୍ୱାନ କରି କହିଲେ ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡ଼ା ବିକାଶ ଦିଗରେ ଆଗେଇ ଯାଇଛି । ବିଜେଡି ସବୁବେଳେ ଆଦିବାସୀ, ଦଳିତ ଓ ଅବହେଳିତ ଶ୍ରେଣୀଙ୍କ ଅଧିକାର ଏବଂ ସମ୍ମାନ ପାଇଁ ଲଢ଼ୁଛି । ଗ୍ରାମୀଣ ସଂଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ନ୍ୟାୟ ଅଭିଯାନରେ ସଫଳ ହୋଇଛି । ପ୍ରଚାର କାର୍ଯ୍ୟକ୍ରମ କୋମନା ବ୍ଲକର ନୂଆଗାଁ, ଟିକିରିପଡ଼ା ଓ ପେନୋର ଗ୍ରାମପଞ୍ଚାୟତ ଅଞ୍ଚଳରେ ହୋଇଥିଲା । ଶ୍ରୀମତୀ ଛୁରିଆ ପ୍ରତ୍ୟେକ ସ୍ଥାନରେ ଗ୍ରାମବାସୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ଓ ଆଶା-ଆକାଂକ୍ଷା ଶୁଣିଥିଲେ । ଏହି ସମୟରେ ଲୋକଙ୍କ ପକ୍ଷରୁ ବିପୁଳ ସମର୍ଥନ ଓ ଆଶୀର୍ବାଦ ମିଳିଥିଲା । ପ୍ରଚାର ଅଭିଯାନରେ ନୂଆପଡ଼ା ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ବିଜେଡି ସାଧାରଣ ସମ୍ପାଦକ ମନୋଜ ମିଶ୍ର, ନୂଆପଡ଼ା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ବରିଷ୍ଠ ନେତା କାର୍ତ୍ତିକ ଦୀପ ପ୍ରମୁଖ ନେତାମାନେ ସାମିଲ ଥିଲେ । ପରିଶେଷରେ ପ୍ରଚାର କାର୍ଯ୍ୟକ୍ରମ ଏକ ଦୃଢ଼ ସନେ୍ଦଶ ସହ ସମାପ୍ତ ହୋଇଥିଲା । ସମନ୍ୱିତ ବିକାଶ, ଶାନ୍ତି ଓ ପ୍ରଗତି ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ । ନୂଆପଡ଼ାର ଦୀର୍ଘକାଳୀନ ବିକାଶ ଯାତ୍ରା କେବଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହିଁ ସମ୍ଭବ ବୋଲି ସମସ୍ତେ ଏକମତ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande