
ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ.)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଅବପାତ ଗତ ୬ ଘଂଟା ମଧ୍ୟରେ ପ୍ରାୟ ପଶ୍ଚିମ-ଉତର ପଶ୍ଚିମ ଆଡକୁ ୧୦ କି.ମି. ବେଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ସକାଳେ ସକାଳେ ଏହା କେନ୍ଦ୍ରୀଭୂତ ହୋଇଥିଲା । ଏହା ପୋର୍ଟ ବ୍ଲେୟାର (ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ)ରୁ ପ୍ରାୟ ୬୧୦ କି.ମି. ପଶ୍ଚିମରେ, ଚେନ୍ନାଇ (ତାମିଲନାଡ଼ୁ)ରୁ ୭୯୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ, ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ରୁ ୮୫୦ କି.ମି. ଦକ୍ଷିଣ- ଦକ୍ଷିଣପୂର୍ବରେ, କାକିନାଡା(ଆନ୍ଧ୍ରପ୍ରଦେଶ)ରୁ ୮୪୦ କି.ମି. ଦକ୍ଷିଣ-ପୂର୍ବରେ ଏବଂ ଗୋପାଳପୁର(ଓଡ଼ିଶା)ରୁ ୯୫୦ କି.ମି. ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ଅଛି ।
ଏହା ପ୍ରାୟ ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଂଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଉତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୮ ତାରିଖ ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି । ଉତର-ପଶ୍ଚିମ ଦିଗକୁ ଆହୁରି ଗତି କରି ୨୮ ତାରିଖ ସନ୍ଧ୍ୟା କିମ୍ବା ରାତି ସମୟରେ କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହାର ସର୍ବାଧିକ ନିରନ୍ତର ପବନର ବେଗ ଘଂଟା ପ୍ରତି ୯୦ରୁ ୧୦୦ କି.ମି. ଏବଂ ଏହାର ଝଟକା ୧୧୦ କି.ମି.କୁ ଛୁଇଁପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ