



ସମ୍ବଲପୁର/ନୂଆପଡ଼ା, ୨୯ ଅକ୍ଟୋବର (ହି.ସ.)- ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଜୋନ୍ ୭ ଆମାନାରା ଠାରେ ଆଜି ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ବିଜେପି ପ୍ରତି ନିଜର ବିଶ୍ୱାସ ଓ ଆସ୍ଥା ପ୍ରକାଶ କରି ବିଜେଡି ଏବଂ କଂଗ୍ରେସ ଦଳ ଛାଡି ଅନେକ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଶତାଧିକ ସକ୍ରିୟ କର୍ମୀ ବିଜେପିରେ ଆନ୍ତରିକତା ପୂର୍ବକ ଯୋଗଦାନ କରିଛନ୍ତି ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଓ ଜୟଜଙ୍ଘା ମଣ୍ଡଳ ସଭାପତି ଗୋବିନ୍ଦ ଦଣ୍ଡସେନା ନୂତନ ଭାବେ ମିଶିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ବିଜେପି ପରିବାରକୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଏହି ମିଶ୍ରଣ ପର୍ବ ନୂଆପଡ଼ାରେ ବିଜେପିର ବିସ୍ତାର ଓ ଦଳର ଶକ୍ତି ବୃଦ୍ଧି ପାଇବାରେ ଏକ ମାଇଲଖୁଣ୍ଟ ହେବା ସହିତ ନୂଆପଡ଼ାର ବିକାଶରେ ଆପଣମାନେ ଗୁରୁ ଦାୟିତ୍ୱ ଗ୍ରହଣ କରିବେ । ଏବଂ ନୂଆପଡା ବିଧାନସଭାର ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବାରେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ