
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଂଚାୟତ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦାୟିତ୍ୱ ନିର୍ବାହୀ ଅଧ୍ୟକ୍ଷ ପବିତ୍ର ମୋହନ ମହାନ୍ତିଙ୍କ କାର୍ଯ୍ୟକଳାପକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଖୁବ୍ ଦୁର୍ନୀତି କରୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି। ବିଦ୍ୟାଳୟକୁ କମ୍ ପିଲା ଆସୁଥିଲେ ବି ଅଧିକ ପିଲା ଆସୁଥିବା ଦର୍ଶାଉଛନ୍ତି। ସେହି ହିସାବରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ସାମଗ୍ରୀ ଦେଉଥିବା ଦେଖାଉଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେ ପ୍ରାୟ ୫୦୦ ପିଲା ପଢୁଛନ୍ତି। ସେଥିରୁ ୩୦୦ରୁ ୩୫୦ ନିୟମିତ ଆସୁଥିବାବେଳେ ଅଧ୍ୟକ୍ଷ ୪୫୦ରୁ ଅଧିକ ଆସୁଥିବା ଦେଖାଇ ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ କରୁଛନ୍ତି। ଶ୍ରେଣୀ ଶିକ୍ଷକମାନେ ପିଲାଙ୍କ ଆଟେଣ୍ଡାନ୍ସ ପକାଉଛନ୍ତି। ହେଲେ ଆଟେଣ୍ଡାନ୍ସ ରେଜିଷ୍ଟରରେ ଆବସେଂଟ ପକାଉନାହାନ୍ତି। ସେମାନେ ଆଣି ଅଧ୍ୟକ୍ଷଙ୍କୁ ରେଜିଷ୍ଟର ଦେଉଛନ୍ତି। ଅଧ୍ୟକ୍ଷ ନିଜ ହିସାବରେ ଆବସେଂଟ ପକାଉଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାରେ ପାରଙ୍ଗମ। ପୂର୍ବରୁ ଖୋ-ଖୋ, କବାଡ଼ି, କ୍ରିକେଟ, ଭଲି ବଲ୍, ରଗବୀ ଭଳି ଖେଳରେ ଜାତୀୟସ୍ତର ଯାଏ ଖେଳିବାକୁ ଯାଇଛନ୍ତି। ଅନେକ ବାର ଖୋ-ଖୋ ଓ ରଗବୀରେ ପଦକ ବିଜୟୀ ମଧ୍ୟ ହୋଇଛନ୍ତି। ଏପରିକି ପ୍ରତିବର୍ଷ ଜିଲ୍ଲା ଖୋ-ଖୋ ଟିମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିନିଧିତ୍ୱ କରନ୍ତି। ହେଲେ ଗତ ତିନିବର୍ଷ ହେଲା ତାହା ଆଉ ହେଉନାହିଁ। କାରଣ, ପିଲା ପଦାକୁ ଖେଳିବାକୁ ଯିବା ପାଇଁ ଅଧ୍ୟକ୍ଷ ଟଙ୍କା ଦେଉନାହାନ୍ତି। ଏପରିକି କ୍ରୀଡ଼ା ଉପକରଣ, ଫିଲ୍ଡ ପ୍ରସ୍ତୁତ ପାଇଁ ବି ଟଙ୍କା ଦେଉନାହାନ୍ତି ବୋଲି ଖେଳ ଶିକ୍ଷକ ଦୋଳଗୋବିନ୍ଦ ବେହେରା କହିଛନ୍ତି। ପ୍ରୋତ୍ସାହନ ମିଳୁନଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ମଧ୍ୟ ସେମିଲ ହେଉନାହାନ୍ତି। ଯଦି କେହି ବି ଯାଉଛନ୍ତି ନିଜ ଖର୍ଚ୍ଚରେ ଯାଉଥିବା କହିଛନ୍ତି ବିଜ୍ଞାନ ଶିକ୍ଷକ ରକ୍ଷାକର ତରାଇ। ବଡ଼କଥା ହେଉଛି, ଏ ସବୁ ବାବଦରେ ବିଦ୍ୟାଳୟକୁ ଯଥେଷ୍ଟ ଅନୁଦାନ ଆସୁଛି। କଂଟିଜେନ୍ସି ଫଣ୍ଡରେ ୧ ଲକ୍ଷ ଟଙ୍କା, ସ୍ପୋର୍ଟସ ପାଇଁ ୨୫୦୦୦, ଇକୋ କ୍ଲବ ପାଇଁ ୨୫୦୦୦, ଆମ ସଂସ୍କୃତି ଓ ଆମ ଖେଳନା ପାଇଁ ୨୦୦୦୦, ସାଇନ୍ସ କ୍ଲବ ବାବଦରେ ୧୦୦୦୦, ବର୍ଷକୁ ବର୍ଷ ପିଲାଙ୍କଠାରୁ ୩୫୦ ଟଙ୍କା ଆଦାୟ ହେଉଛି। ଅନ୍ୟାନ୍ୟ ସୂତ୍ରରୁ ୫୦୦୦୦ ଟଙ୍କା ଆସୁଛି। ଉଚ୍ଚ ମାଧ୍ୟମକ ବିଦ୍ୟାଳୟର ଜମି, ହାଟ ଆଦି ନିଲାମରୁ ବର୍ଷକୁ ୨୦୦୦୦ ଟଙ୍କା ଆସୁଛି। ଏସବୁକୁ ଦେଖିଲେ ବିଦ୍ୟାଳୟକୁ ବର୍ଷକୁ ୩ ଲକ୍ଷରୁ ଅଧିକ ଟଙ୍କା ମିଳୁଛି। ତା ସତ୍ୱେ ପିଲାଙ୍କୁ ପ୍ରୋତ୍ସାହନ ଦିଆଯାଉନଥିବାରୁ ସେମାନେ ଖେଳିବାକୁ ଯାଇ ପାରୁନାହାନ୍ତି। ଅପରପକ୍ଷରେ ଏସବୁ ଟଙ୍କା କେଉଁ ବାଟେ ଖର୍ଚ୍ଚ ହେଉଛି, ସେନେଇ କାହାକୁ ହିସାବ ଦିଆଯାଉନଥିବା କହିଛନ୍ତି ଶିକ୍ଷୟିତ୍ରୀ ରେଣୁବାଳା ସାହୁ। ପୂର୍ବରୁ ପବିତ୍ର ମୋହନ ମହାନ୍ତି ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପ୍ରାୟ ୪ ବର୍ଷ ତଳେ ତତ୍କାଳୀନ ପ୍ରଧାନଶିକ୍ଷକଙ୍କ ଅବସର ପରେ ସେ ଏଠାରେ ଦାୟିତ୍ୱ ନିର୍ବାହୀ ପ୍ରଧାନଶିକ୍ଷକ ହୋଇଥିଲେ। ଚଳିତ ବର୍ଷ ଜୁଲାଇରେ ବିଦ୍ୟାଳୟଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଲେଜର ମାନ୍ୟତା ପାଇଥିଲା। ଏହାପରେ ପବିତ୍ର ମହାନ୍ତିଙ୍କୁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଦାୟିତ୍ୱ ନିର୍ବାହୀ ଅଧ୍ୟକ୍ଷ ଭାବେ କ୍ଷମତା ଅର୍ପଣ କରିଛନ୍ତି। ଏଭଳି ଜଣେ ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଅପସାରଣ କରିବା ଲାଗି ପୂର୍ବତନ ସରପଞ୍ଚ ବିଜୟ କୁମାର ଦାସଙ୍କ ନେତୃତ୍ୱରେ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହାପରେ ଧାମନଗର ବିଇଓ ପ୍ରଫୁଲ୍ଲ ସାହୁ ଆସି ତଦନ୍ତ କରିଥିଲେ। ହେଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସପ୍ତାହେ ମଧ୍ୟରେ ତାଙ୍କୁ ଦାୟିତ୍ୱର ହଟା ନଗଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଲା ପଡ଼ିବ ବୋଲି ବିଜୟ କୁମାର ଦାସ କହିଛନ୍ତି। ଅପରପକ୍ଷରେ ଅଧ୍ୟକ୍ଷ ପବିତ୍ର ମହାନ୍ତି ପଚାରିବାରୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ କମ୍ ପିଲା ଆସୁଥିଲେ ବି ଅଧିକ ପିଲା ଦେଖାଇବା ଓ ଖେଳ ବାବଦରେ ବିଦ୍ୟାଳୟରେ କୌଣସି ପ୍ରକାର ଦୁର୍ନୀତି ହୋଇ ନାହିଁ। ମଧ୍ୟାହ୍ନ ଭୋଜନ କଥା ଉଠିବା ପରେ ଧାମନଗର ବିଇଓ ଆସି ତଦନ୍ତ କଲେ, କୌଣସି ଭୁଲ ପାଇଲେ ନାହିଁ। ତାହା ସହ ସ୍କୁଲକୁ ଲକ୍ଷ ଲକ୍ଷ ଟଙ୍କା ଆସୁଥିବା କଥା ପଚାରିବାରୁ ଏତେ ଟଙ୍କା କେବେବି ଆସୁନାହିଁ। କିଛି ଟଙ୍କା ଆସୁଛି ସେଗୁଡିକ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି, ପିଲା ଖେଳିବା ପାଇଁ ଅନ୍ୟାନ୍ୟ ଜିଲ୍ଲାକୁ ଯାଉଛନ୍ତି ଏଣୁ ମୁଁ ହାତରୁ ଟଙ୍କା ଖର୍ଚ୍ଚ କରି ଖେଳିବାକୁ ବିଦାକରୁଛି ବୋଲି କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ