
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ବୁଧବାର ଦିନ ରାଜଭବନ ସେକ୍ରେଟାରିଏଟ୍ର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି। ମିନି କନ୍ଫରେନ୍ସ ହଲ୍ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅଧିକାରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟାଧାରା ଓ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟପାଳ ସମୀକ୍ଷା କରି ଉଚ୍ଚ ଶିକ୍ଷା, ଜନଜାତି କଲ୍ୟାଣ ଏବଂ ଜନସେବା ଇତ୍ୟାଦି କାର୍ଯ୍ୟକଳାପ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସରକାରୀ କାର୍ଯ୍ୟ ଓ ଜନସେବା କାର୍ଯ୍ୟକଳାପର ସୁପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ଟିମ୍ ୱାର୍କ, ସମୟୋଚିତ ସମନ୍ୱୟ ଏବଂ ଅଧିକାରୀମାନଙ୍କ ମଧ୍ୟରେ ଉତମ ଯୋଗାଯୋଗ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଏତଦ୍ବ୍ୟତୀତ ରାଜଭବନର ସମସ୍ତ ବିଭାଗ ଦକ୍ଷତା ବଜାୟ ରଖିବା ସହିତ ଦୈନନ୍ଦିନ କାର୍ଯ୍ୟର ସୁଗମ ପରିଚାଳନା କରିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅନ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା