ସମ୍ବଲପୁରରେ ‘ଏକତା ପଦଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ପୋଷଣକୁ ପ୍ରାଧାନ୍ୟ ଦେଇ ଛୋଟ ପିଲାଙ୍କର ଯତ୍ନ ନେବା ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା - ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର/ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ)- ଆମ ରାଜ୍ୟ ଓଡ଼ିଶା ୨୦୩୬ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ ସୁଦ୍ଧା ଆମ ଦେଶକୁ ସ୍ୱାଧୀନତାର
ସମ୍ବଲପୁରରେ ‘ଏକତା ପଦଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ


ପୋଷଣକୁ ପ୍ରାଧାନ୍ୟ ଦେଇ ଛୋଟ ପିଲାଙ୍କର ଯତ୍ନ ନେବା ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା - ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ)- ଆମ ରାଜ୍ୟ ଓଡ଼ିଶା ୨୦୩୬ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ ସୁଦ୍ଧା ଆମ ଦେଶକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଆମର ପୂର୍ବଜମାନେ ପୂର୍ବରୁ ଲଢେଇ କରିଥିଲେ ସ୍ୱରାଜ ପାଇଁ, କିନ୍ତୁ ଆମକୁ ଏବେ ସମୃଦ୍ଧି ପାଇଁ ଲଢେଇ କରିବାକୁ ହେବ । ତେଣୁ ଏହି ୧୦ ବର୍ଷ ୨୨ ବର୍ଷର ଗୁରୁତ୍ୱପୂର୍ଣ୍ଣ ସମୟସୀମା ମଧ୍ୟରେ ‘ବିକଶିତ ସମ୍ବଲପୁର’, ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ ’ ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ପାଇଁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମଙ୍ଗଳବାର ସମ୍ବଲପୁରରେ ଭାରତର ଏକତା ଓ ଅଖଣ୍ଡତାର ମହାନ ପ୍ରତୀକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ‘ଏକତା ପଦଯାତ୍ରା’ରେ ସାମିଲ ହୋଇଥିଲେ ଶ୍ରୀ ପ୍ରଧାନ । ଏହି ପଦଯାତ୍ରା ରିଜର୍ଭ ପୋଲିସ୍ ପଡ଼ିଆ ଠାରୁ ଆରମ୍ଭ ହୋଇ ମହିଳା କଲେଜ ପଡ଼ିଆ ପର୍ଯ୍ୟନ୍ତ ହୋଇଥିଲା, ଯେଉଁଥିରେ ସର୍ଦ୍ଦାର ପଟେଲ୍‌?ଙ୍କ ଆଦର୍ଶ ପ୍ରତି ଉତ୍ସାହ ଓ ସମର୍ପଣ ଭାବନା ପରିଲକ୍ଷିତ ହୋଇଥିଲା । ଏହି ପଦଯାତ୍ରା ପରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆମେ ଯେତେବେଳେ ସର୍ଦ୍ଦାର ପଟେଲଙ୍କ ଏକତାକୁ ସମ୍ମାନ ଜଣାଉଛେ, ସେହି ସମୟରେ ଆମର ସମ୍ବଲପୁର ଓ ଓଡ଼ିଶାର ଭବିଷ୍ୟତ ପାଇଁ ଥିବା ଆମର ଦାୟିତ୍ୱକୁ ଭୁଲିବା ଉଚିତ ନୁହେଁ । ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଅପିଲ୍ କରି କହିଛନ୍ତି ଯେ ଗାନ୍ଧୀଜୀଙ୍କ ବିଚାରରେ ସମ୍ବଲପୁରକୁ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଅଧିକ ଦାୟିତ୍ୱ ନେବା । ଗ୍ରାମାଞ୍ଚଳରେ ଆମେ ପୋଷଣକୁ ପ୍ରାଧାନ୍ୟ ଦେଇ ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ସବୁ ପିଲାଙ୍କ ଯତ୍ନ ନେବା ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା । ଏଠାରେ ଖେଳକୁ ପ୍ରୋତ୍ସାହନ ଦେବା ସହ କ୍ରୀଡ଼ା ଭିତିଭୂମିର ବିକାଶ କରିବା । ସମ୍ବଲପୁରରେ ବସବାସ କରୁଥିବା ପ୍ରାୟ ୨ ଲକ୍ଷ ପରିବାରର ସାହାସ, ସ୍ୱାଭିମାନ ଓ ସ୍ୱାବଲମ୍ବନ ବଢାଇବା ପାଇଁ କାମ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ସେ କହିଛନ୍ତି, ସର୍ଦ୍ଦାର ପଟେଲଜୀଙ୍କ ସ୍ମୃତିରେ ଆୟୋଜିତ ଏହି ‘ଏକତା ପଦଯାତ୍ରା’ ଆମ ଦେଶର ଐକ୍ୟ, ସମତା ଏବଂ ସାମାଜିକ ସଦ୍‌ଭାବନାର ଏକ ଜୀବନ୍ତ ପ୍ରଦର୍ଶନ । ଏହା ଆମକୁ ତାଙ୍କର କଠୋର ପରିଶ୍ରମ, ନିଷ୍ଠାପରତା ଓ ଅଖଣ୍ଡ ଭାରତ ଗଠନ ପାଇଁ ଅତୁଳନୀୟ ଅବଦାନକୁ ମନେ ପକାଇ ଦେଉଛି । ସେ ଆହୁରି କହିଛନ୍ତି ଯେ ସର୍ଦ୍ଦାର ପଟେଲଙ୍କ ଅସୀମ ସାହସ, ଅଦମ୍ୟ ରାଜନୈତିକ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ନେତୃତ୍ୱ କାରଣରୁ ଆମ ଦେଶ ଆଜି ବିକାଶର ମାର୍ଗରେ ଅଗ୍ରସର ହେଉଛି । ଗୁଜୁରାଟରେ ପଟେଲଜୀଙ୍କ ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ମହାପୁରୁଷଙ୍କୁ ରାଷ୍ଟ୍ର ତରଫରୁ ସର୍ବୋତମ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି ଗୌରବ, ଏକତା, ଶାନ୍ତି ଓ କୃତଜ୍ଞତାର ପ୍ରତୀକ । ‘ସମ୍ବିଧାନ ଦିବସ’ର ଅବ୍ୟବହିତ ପୂର୍ବରୁ ଏହିସବୁ କଥାକୁ ଆମେ ସ୍ମରଣ କରିବା ଜରୁରି ବୋଲି ସେ କହିଥିଲେ । ଅଭିଭାଷଣରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଗଠନରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ, ‘ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ବରପୁତ୍ରଙ୍କ ବଡ଼ ଯୋଗଦାନକୁ କେନ୍ଦ୍ରମନ୍ତ୍ରୀ ମନେପକାଇଥିଲେ ।

ଏକତା ପଦଯାତ୍ରା ସମୟରେ ଶ୍ରୀ ପ୍ରଧାନ ଜେଲ୍ ଛକ ଠାରେ ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ଓ ନେଲସନ୍ ମାଣ୍ଡେଲା ଛକ ଠାରେ ଥିବା ଶହୀଦ ସ୍ତମ୍ଭରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାବ୍ୟତୀତ, ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ, ଯୁବସାଥୀ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନର ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇ ପଦଯାତ୍ରାକୁ ସଫଳ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande