
କୋଲକାତା, 13 ଡିସେମ୍ବର (ହି.ସ.)- ଅନ୍ତର୍ଜାତୀୟ
ଖ୍ୟାତିସମ୍ପନ୍ନ ଫୁଟବଲ ଖେଳାଳି ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସମୟରେ ଶନିବାର ସେତେବେଳେ
ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା, ଯେତେବେଳେ ତାଙ୍କର
ବହୁପ୍ରତୀକ୍ଷିତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଯୋଜନା ଅନୁସାରେ ସମ୍ପନ୍ନ ହୋଇପାରିନଥିଲା।
ସମ୍ପୂର୍ଣ୍ଣ ଭରିଥିବା ଯୁବଭାରତୀ କ୍ରୀଡ଼ାଙ୍ଗଣରେ ଦର୍ଶକମାନେ ମେସିଙ୍କୁ ଏକ ଝଲକ ଦେଖିବା ପାଇଁ
ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ, କିନ୍ତୁ ପରିସ୍ଥିତି ଏତେ
ଅନିୟନ୍ତ୍ରିତ ହୋଇଗଲା ଯେ ମେସିଙ୍କୁ ନିର୍ଦ୍ଧାରିତ ସମୟର ପୂର୍ବରୁ ହିଁ ମୈଦାନ ଛାଡ଼ିବାକୁ
ପଡ଼ିଥିଲା।
କାର୍ଯ୍ୟକ୍ରମ ଅନୁସାରେ
ମେସିଙ୍କୁ ଷ୍ଟାଡିୟମର ଗସ୍ତ କରିବାର ଥିଲା, କିନ୍ତୁ
ମୈଦାନ ନିକଟରେ ଗାଡି ରହିବା ମାତ୍ରେ ହିଁ ପରିସ୍ଥିତି ବିଗଡ଼ିଯାଇଥିଲା। ମେସି ଯେମିତି ଗାଡ଼ିରୁ
ତଳେ ଓହ୍ଲାଇଥିଲେ,
ତାଙ୍କୁ ଚାରିପାଖରୁ ଘେରି ନିଆଯାଇଥିଲା। ଏହି ସମୟରେ ଅନେକ ନାମୀ
ହସ୍ତି ଏବଂ ପୂର୍ବତନ ଖେଳାଳିମାନେ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ସୁରକ୍ଷା ଓ ପ୍ରବନ୍ଧନର ଅଭାବ ସ୍ପଷ୍ଟ ଭାବେ ଦେଖାଯାଉଥିଲା। ଭିଡ଼ ନିରନ୍ତର
ବଢ଼ୁଥିଲା ଏବଂ ମେସିଙ୍କ ଚାରିପାଖର ଘେରା ଭାଙ୍ଗିଯାଇଥିଲା।
ମୈଦାନରେ ପ୍ରବେଶ କରିବା ପରେ
ମେସିଙ୍କ ଚାରିପାଖରେ ଅପେକ୍ଷାଠାରୁ ଅଧିକ ଲୋକ ଜମା ହୋଇଯାଇଥିଲେ। ଆୟୋଜକମାନଙ୍କ ପକ୍ଷରୁ
ବାରମ୍ବାର ଘୋଷଣା କରାଯାଇଥିଲା ଯେ କେବଳ ଅଧିକୃତ ଲୋକମାନେ ମୈଦାନରେ ରୁହନ୍ତୁ, କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ସମଗ୍ର କାର୍ଯ୍ୟକ୍ରମ
ଅବଧିରେ ପୁଲିସ୍ ସମ୍ପୂର୍ଣ୍ଣ ଭାବେ ଅନୁପସ୍ଥିତ ଦେଖାଯାଇଥିଲା। ମେସିଙ୍କ ସହ ସେଲ୍ଫି ନେବା ଓ ଅଟୋଗ୍ରାଫ
ନେବା ପାଇଁ ଭିଡ଼ ବଢିଯାଇଥିଲା। କିଛି ସମୟ ପାଇଁ ମେସି ଆଗକୁ ବଢ଼ି ଦର୍ଶକମାନଙ୍କ ଦିଗକୁ ହାତ
ହଲାଇଥିଲେ, ଯାହାର ଫଳରେ ଗ୍ୟାଲେରୀରେ ଉତ୍ସାହ ଚରମ ସୀମାକୁ ପହଞ୍ଚିଯାଇଥିଲା।
ମେସି ଯେତେବେଳେ ଗ୍ୟାଲେରୀର
ଦିଗକୁ ଆଗକୁ ବଢ଼ିଥିଲେ, ସେତେବେଳେ ପରିସ୍ଥିତି ଆହୁରି
ବିଗଡ଼ିଯାଇଥିଲା। ଦର୍ଶକମାନଙ୍କ ପକ୍ଷରୁ ଜୋରଦାର ନାରାବାଜି ଆରମ୍ଭ ହୋଇଥିଲା, କିନ୍ତୁ ଶବ୍ଦକୋଳାହଳ ଓ ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ରମ
ସମ୍ପୂର୍ଣ୍ଣ ଭାବେ ପଥଭ୍ରଷ୍ଟ ହୋଇଗଲା। ପରିସ୍ଥିତିରେ ଅସହଜତା ଅନୁଭବ କରି ମେସି ଯୁବଭାରତୀ
କ୍ରୀଡ଼ାଙ୍ଗଣରୁ ବାହାରିଯାଇଥିଲେ। ତାଙ୍କ ପ୍ରସ୍ଥାନ ପରେ ଦର୍ଶକମାନଙ୍କ ରୋଷ ସ୍ପଷ୍ଟ ଭାବେ ବାରି
ହୋଇପଡିଥିଲା ।
ମେସି ଚାଲିଯିବା ସହିତ ହିଁ
ଗ୍ୟାଲେରୀରୁ ମୈଦାନ ଦିଗକୁ ବୋତଲ ଫିଙ୍ଗିବା ଆରମ୍ଭ ହୋଇଥି। ଷ୍ଟାଡିୟମରେ ଲାଗିଥିବା
ପ୍ରାୟୋଜକମାନଙ୍କ ବ୍ୟାନର ଫାଡ଼ିଦିଆଯାଇଥିଲା ଏବଂ କିଛି ସ୍ଥାନରେ ଚୌକି ଫିଙ୍ଗାଯାଇଥିଲା। ଏହା
ପରେ ଦର୍ଶକମାନେ ଗ୍ୟାଲେରୀରୁ ତଳେ ଓହ୍ଲାଇ ମୈଦାନ ଭିତରକୁ ପହଞ୍ଚିଥିଲେ ଏବଂ ମୈଦାନ ନିକଟରେ
ଲଗାଯାଇଥିବା ତାମ୍ବଗୁଡ଼ିକୁ ମଧ୍ୟ ନଷ୍ଟ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା