
ଭୁବନେଶ୍ଵର, 14 ଡିସେମ୍ବର (ହି.ସ.) ରବିବାର ମଧ୍ୟାହ୍ନରେ ନୂଆଦିଲ୍ଲୀର ରାମଲୀଳା ମୈଦାନ ଗର୍ଜିବ । ସମଗ୍ର ଦେଶରୁ ଲକ୍ଷାଧିକ କଂଗ୍ରେସ ନେତା ଓ କର୍ମୀ ଏକ ବିଶାଳ ସମାବେଶରେ ଏକାଠି ହେବେ। କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଓ ଲୋକସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଉକ୍ତ ସମାବେଶରେ ‘ସମ୍ବିଧାନ ବଞ୍ଚାଅ’, ‘ଏସ୍.ଆଇ.ଆର ବନ୍ଦ କର’ ଓ ‘ଭୋଟ ଚୋର ଗାଦି ଛାଡ଼’ ପ୍ରମୁଖ ସ୍ଲୋଗାନ ଦିଆଯାଇ ଦେଶର ଗଣତାନ୍ତ୍ରିକ ବିଧୂବ୍ୟବସ୍ଥାର ସୁରକ୍ଷା ପାଇଁ ସରକାରଙ୍କୁ ଆହ୍ବାନ ଦିଆଯିବ। ସୂଚନାଯୋଗ୍ୟ, ସମଗ୍ର ଦେଶରେ ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ' ଗତ ନଭେମ୍ବର ୩୦ ତାରିଖରେ ଶେଷ ହୋଇଥିଲା। ଦେଶବ୍ୟାପି କୋଟି କୋଟି ଲୋକଙ୍କ ଦସ୍ତଖତ ସଂଗ୍ରହ ହୋଇଥିବାବେଳେ କେବଳ ଓଡ଼ିଶାରୁ ୧୦,୭୮,୨୭୦ ଜଣଙ୍କ ଦସ୍ତଖତ ସଂଗ୍ରହ ହୋଇଥିଲା। ଦିଲ୍ଲୀ ସମାବେଶରେ ଏ ନେଇ କଂଗ୍ରେସ ଅଧ୍ୟକ୍ଷ ଆନୁଷ୍ଠାନିକ ଭାବେ ଘୋଷଣା କରିବେ। ଏହି ସମସ୍ତ ଦସ୍ତଖତ ସମ୍ବଳିତ ନଥିପତ୍ର ରାଷ୍ଟ୍ରପତି ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯିବ।
ଓଡ଼ିଶାରୁ ପିସିସି ସଭାପତି ଭକ୍ତଚରଣ ଦାସ, ଏ.ଆଇ.ସି.ସି.ର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍କୁ ଓ ଓଡ଼ିଶାର ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ନେତୃତ୍ୱରେ ୨୦୦୦ରୁ ଅଧୂକ କଂଗ୍ରେସ ନେତା ଓ କର୍ମୀ ୨-୩ ଦିନ ପୂର୍ବରୁ ଯାଇ ଦିଲ୍ଲୀରେ ପହଂଚିସାରିଛନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ