
ଭଦ୍ରକ, ୨୧ ଡିସେମ୍ବର (ହି.ସ.)- ଭଦ୍ରକ -ବାଲେଶ୍ୱର ସୀମା ଅଧୀନ ଖଇରା ତହସିଲର ଶାରୀଶୁଆ କପିଳ ଝରୀ ବନ୍ଧନଟା ( ପଥର ଖଣି )ଅଂଚଳରେ ଗତ ୧୬ ତାରିଖରେ ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲଭିଆଙ୍କ ଆଦେଶରେ ଖଇରା ତହସିଲଦାର ରଶ୍ମିରଂଜନ ହୋତା ଧାରା ୧୬୩ ଧାରା ମୂଳେ ଏସଡିପିଓ (ନୀଳଗିରି) ପ୍ରମୋଦ ମଲିକ, ଆଇଆଇସି (ଖଇରା)ମୋହନ ସେଠି, ଜୁନିଅର ମାଇନିଂ ଅଧିକାରୀ ଅଭିଷେକ ବେହେରା ଓ଼ ଦୁଇଜଣ ଏଏସଆଇଙ୍କ ଉପସ୍ଥିତିରେ ନିଷେଧାଞ୍ଚଳ ଘୋଷଣା କରିଥିଲେ ମଧ୍ୟ ପୋଲିସ ମୁତୟନ ନ ହେବା କାରଣରୁ ଗତ ୧୮ ତାରିଖରେ ଖଣିନମ୍ବର ୮୮,୮୯,୧୯,୪୫ ଓ ୪୪ରେ ହୋଇଛି ବ୍ଲାଷ୍ଟିଙ୍ଗ। ରାତି ନଅ ଟାରେ ହାତୀଙ୍କ ଚଲାପଥରେ ପ୍ରବଳ ବ୍ଲାଷ୍ଟିଙ୍ଗ ହେବା ଫଳରେ ବଣୁଆ ହାତୀ ଜଙ୍ଗଲ ଛାଡ଼ି ସେଦିନ କୁପାରୀ ଗାଁ କୁ ପଶିଲେ। ଫଳରେ ଗାଁ ଲୋକ ଓ଼ ବନକର୍ମଚାରୀ ଗୋଡ଼େଇବାରୁ ହାତୀ କୁପାରୀ - ପୂର୍ବପଡ଼ାର ସୁରେନ୍ଦ୍ର ଦାସ(୬୭)ଙ୍କୁ ଆକ୍ରମଣ କରି ମାରିଦେଲା। ଔପଦା ରେଞ୍ଜ ଅଧିକାରୀ, କୁପାରୀ ଫରେଷ୍ଟର, ବାଲେଶ୍ୱର ଜିଲ୍ଲାର ଡ଼ିଏଫଓ ଘଟଣାସ୍ଥଳରେ ପହଂଚି ପୂର୍ବପଡ଼ାରେ ରହି ଟିମ ଜରିଆରେ ରାତିରେ ହାତୀକୁ ଅଗରପଡା ଦେଇ ସୋସୋ ଦେଇ ହଦଗଡ଼ରେ ପହଂଚାଇବାରେ ସଫଳ ହୋଇଥିଲେ। କିନ୍ତୁ ୨୦ ତାରିଖରେ୧୨ ନମ୍ବର ଖଣିରେ ବ୍ଲାଷ୍ଟିଙ୍ଗ ଯୋଗୁଁ ଜଣେ ଛୋଟ ଖଣି ମାଫିଆକୁ ଜୁନିଅର ମାଇନିଂ ଅଧିକାରୀ ଅଭିଷେକ ବେହେରା ଦୁଇଟି କମ୍ପ୍ରେସର ଜବତ କରି ଖଇରା ଥାନାରେ ରଖିଛନ୍ତି। କିନ୍ତୁ ବଡ ବଡ଼ ମାଫିଆ ମାନେ କରୁଥିବା ବ୍ଲାଷ୍ଟିଙ୍ଗ ଖଣିକୁ ଯାଉନାହାନ୍ତି ଜୁନିଅର ମାଇନିଙ୍ଗ ଅଧିକାରୀ ଅଭିଷେକ ବେହେରା, ପୋଲିସ ଓ ତହସିଲ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ଖଣିବ୍ଲାଷ୍ଟିଙ୍ଗ। ଏଣୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ଆଇନଗତ କାର୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ