
ଭୁବନେଶ୍ୱର ,୨୨ ଡିସେମ୍ବର (ହି.ସ.) - ଓଡ଼ିଶା ଜଳ ଯୋଗାଣ ଓ ସ୍ୱୋରେଜ ପରିଷଦ (ଓଡବ୍ଲୁଏସଏସବି)ର ୨୭ ତମ ବୋର୍ଡ୍ ବୈଠକ ଦୀର୍ଘ ୯ ବର୍ଷ ପରେ ସୋମବାର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହା ପୂର୍ବରୁ ଓଡବ୍ଲୁଏସଏସବିର ଶେଷ ବୋର୍ଡ୍ ବୈଠକ ୨୦୧୬ ମସିହାରେ ହୋଇଥିଲା ।
ରାଜ୍ୟ ସରକାରଙ୍କ ଦ୍ୱାରା ଓଡବ୍ଲୁଏସଏସବିକୁ ପୁନରୁଜ୍ଜୀବିତ କରିବା, ସଂସ୍ଥାଗତ ଶକ୍ତିବୃଦ୍ଧି ଓ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ସଂଗଠିତ ପଦକ୍ଷେପର ଅଂଶ ରୂପେ ଅକ୍ଟୋବର ୨୦୨୫ ରେ ବୋର୍ଡ୍ ପୁନଃଗଠନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, ବୋର୍ଡ ଉପାଧ୍ୟକ୍ଷ ଭାବେ ଉପସ୍ଥିତ ରହି ବୈଠକର ଆଲୋଚନାକୁ ନେତୃତ୍ୱ ପ୍ରଦାନ କରିଥିଲେ ।
ଏହି ବୈଠକରେ ଅତିରିକ୍ତ ସଚିବ, ଅର୍ଥ ତଥା ନିର୍ଦ୍ଦେଶକ ସଂସ୍ଥାଗତ ଅର୍ଥବ୍ୟବସ୍ଥା ; କେନ୍ଦୁଝର ଓ ଢେଙ୍କାନାଳ ପୌରପାଳିକା ଏବଂ କୋଦଳା ଏନଏସିର ଅଧ୍ୟକ୍ଷମାନେ , ଶ୍ରୀ ତପନ କୁମାର ଚାନ୍ଦ, ପୂର୍ବତନ ସିଏମଡି , ନାଲେକା ଓ ଇଂ. ରତିନ୍ଦ୍ର ନାରାୟଣ ମଲ୍ଲିକ, ପୂର୍ବତନଇଆଇସି , ପିଏଚଇଓ ଉପସ୍ଥିତ ଥିଲେ । ଇଞ୍ଜିନିୟର-ଇନ୍-ଚିଫ୍, ପବ୍ଲିକ୍ ହେଲ୍ଥ ଏବଂ ୱାଟକୋ ପରିଚାଳନା ନିର୍ଦ୍ଦେଶକ ଟେକ୍ନିକାଲ୍ ସଦସ୍ୟ ଭାବେ ଯୋଗଦେଇଥିବା ବେଳେ, ଓଡବ୍ଲୁଏସଏସବିର ଇଞ୍ଜିନିୟର-ଇନ୍-ଚିଫ୍ ସଦସ୍ୟ-ସଂଯୋଜକ ଭାବେ ଉପସ୍ଥିତ ଥିଲେ।
ବୈଠକରେ ପ୍ରାୟ ୨୪ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ପ୍ରଶାସନିକ, ଆର୍ôଥକ ଓ ପ୍ରାଯୁକ୍ତିକ ବିଷୟରେ ସୂକ୍ଷ୍ମ ଆଲୋଚନା କରାଯାଇ ସିଦ୍ଧାନ୍ତ ନିଆଯାଇଛି । ପୂର୍ବବର୍ତ୍ତୀ ବୋର୍ଡ୍ ବୈଠକର କାର୍ଯ୍ୟବୃତ୍ତାନ୍ତକୁ ଅନୁମୋଦନ କରାଯିବା ସହ ତିନିଜଣ ଦୈନିକ ଶ୍ରମିକ ରୋଲ୍ କର୍ମଚାରୀଙ୍କୁ ଗ୍ରାଟୁଇଟି ପ୍ରଦାନ ପାଇଁ ମନ୍ଜୁରୀ ଦିଆଯାଇଛି । ଏହା ସହ ଓଡବ୍ଲୁଏସଏସବିରେ କାର୍ଯ୍ୟରତ ଡିଏଲଆର ମାନଙ୍କ ପାଇଁ ବିଶେଷ ପ୍ରୋତ୍ସାହନ ରାଶି ୨୦୦ ଟଙ୍କା ବୃଦ୍ଧି କରାଯିବାକୁ ମଧ୍ୟ ଅନୁମୋଦନ ମିଳିଛି । ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ପ୍ରାଯୁକ୍ତିକ ବିଷୟଗୁଡ଼ିକର ସମଗ୍ର ପରୀକ୍ଷା ପାଇଁ ଓଡବ୍ଲୁଏସଏସବି, ପିଏଚଇଓ ଓ ଓ୍ରବାଟକୋ ଅଧିକାରୀମାନଙ୍କ ସମ୍ମିଳନରେ ଏକ କମିଟି ଗଠନ କରିବାକୁ ବୋର୍ଡ୍ ନିଷ୍ପତ୍ତି ନେଇଛି । କମିଟି ସମ୍ପର୍କିତ ପ୍ରସ୍ତାବଗୁଡ଼ିକୁ ପରୀକ୍ଷା କରି ଆଗାମୀ କାର୍ଯ୍ୟପଥ ପାଇଁ ସୁପାରିଶ ଦାଖଲ କରିବ । ବୋର୍ଡ୍ ଓଡବ୍ଲୁଏସଏସବିର ସୁଶାସନ, ସମୟୋଚିତ ସିଦ୍ଧାନ୍ତ ଗ୍ରହଣ ଓ ସଂସ୍ଥାର ସମଗ୍ର କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ନିୟମିତ ବୋର୍ଡ୍ ବୈଠକ ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା