


ବଲାଙ୍ଗିର, ୨୩ ଡିସେମ୍ବର (ହି.ସ.)- ଲୋକ ପ୍ରତିନିଧି ଥାଏ ବା ନ ଥାଏ କିଛି ଫରକ ପଡିବ ନାହିଁ, ଜୀବନ ଥିବା ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକମାନଙ୍କର ପାଇଁ କାମ କରିବି ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜର ୮୬ତମ ଜନ୍ମ ଦିବସରେ ଶୁଭେଚ୍ଛୁମାନଙ୍କ ଶୁଭେଚ୍ଛା ଓ ଅଭିନନ୍ଦନର ପ୍ରତିତ୍ତୋରରେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏ ମର୍ମରେ ସେ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କର ତାଙ୍କ ପ୍ରତି ଭଲ ପାଇବା ତାଙ୍କ ଭିତରେ ଥିବା ଦାୟିତ୍ୱବେଧତାକୁ ଆହୁରି ଦ୍ୱିଗୁଣିତ କରୁଛି । ସେ ନିଶ୍ଚିତ ଭାବରେ ଏ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କ୍ରୀଡା, ସଂସ୍କୃତି ର ବିକାଶ ପାଇଁ ନିରନ୍ତର କାମ ଜାରି ରଖିବେ ବୋଲି କହିବା ସହ ଅଂଚଳର ଲୋକଙ୍କ ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ଆଜି ନରସିଂହ ମିଶ୍ର ୮୬ ବର୍ଷରେ ପ୍ରଦାର୍ପଣ କରିଛନ୍ତି । ୧୯୪୦ ମସିହା ଶ୍ରୀ ମିଶ୍ର ବଲାଙ୍ଗିର ସହର ନିକଟବର୍ତ୍ତି ଛତାମଖନା ଗ୍ରାମରେ ଦେଶର ସମ୍ବିଧାନ ପ୍ରଣୟନ ସଭା ସଦସ୍ୟ ପିତା ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର ଏବଂ ମାତା ନିଳାବତି ଦେବୀଙ୍କ ଔରଷରୁ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ୧୦ ଭାଇ ଓ ଏକ ଭଉଣି ଭିତରେ ସେ ଜ୍ୟେଷ୍ଠ ଥିଲେ । ପିଲାଟି ଦିନର ଶିକ୍ଷା ଛତାମଖନା ସ୍କୁଲରୁ ଆରମ୍ଭ ହୋଇ ପରିବର୍ତ୍ତି ସମୟରେ ପି.ଆର. ହାଇସ୍କୁଲ ପରେ ପରେ ବିକ୍ରମଦେବ କଲେଜ ଜୟପୁର, ଖଲ୍ଲିକୋଟ କଲେଜ ବ୍ରହ୍ମପୁରରୁ ସେ ଡିଗ୍ରୀ ସମାପ୍ତ କରିଥିଲେ । ପରେ କଟକ ସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ଡିଗ୍ରୀ ସମାପ୍ତ କରିଥିଲେ । ଆଜି ତାଙ୍କର ୮୬ତମ ଜନ୍ମଦିନ ଅବସରରେ ସାରା ରାଜ୍ୟରୁ ତାଙ୍କ ଶୁଭେଚ୍ଛୁମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ କଂଗ୍ରେସ ନେତା ମନୀଷ ମିଶ୍ର, ବୁଲୁ ଦାନୀ, ଅସିତ ମିଶ୍ର, ଜୁଲୁ ପଟ୍ଟନାୟକ, ଲୋପନ ମିଶ୍ର, ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନସାରା ଶ୍ରୀ ମିଶ୍ରଙ୍କୁ ବଲାଙ୍ଗିର ସହରର ତଥା ଦେଓଗାଁ, ଆଗଲପୁର, ବଲାଙ୍ଗିର ସଦର, ପୁଇଁନ୍ତଲା, ବିନିକା, ବୌଦ୍ଧ ଓ ଲୋଇସିଂହା ବ୍ଲକ ଅଂଚଳରୁ ଅନେକ ସାଧାରଣ ଜନତା, ବୁଦ୍ଧିଜିବି, ରାଜନୈତିକ କର୍ମୀ, ସାମାଜିକ, ସାଂସ୍କୃତିକ, ମହିଳା ସଂଗଠନ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଆଜି ଶ୍ରୀ ମିଶ୍ର ଚିରାଚରିତ ଢଙ୍ଗରେ ନିଜର ଗସ୍ତ କାର୍ଯ୍ୟକ୍ରମରେ ଯାଇ ପ୍ରସିଦ୍ଧ ସୁଲିଆ ପୀଠର ସୁଲିଆ ବାବାଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ । ପରେ ପରେ ମିର୍ଦ୍ଧାପାଲି ସୁଲିଆପୀଠ, ପଥରଚେପା ଗ୍ରାମ ଓ ଆଶ୍ରମକୁ ଯାଇ ଛୋଟ ଛୋଟ ଅନ୍ତେବାସୀଙ୍କ ସହ ନିଜ ଜନ୍ମଦିବସ ପାଳନ କରିଥିଲେ । ସନ୍ଧ୍ୟାରେ ଲୋୟର ସୁକତେଲ ଡ୍ୟାମ ନିକଟରେ ଏକ ପାଂଚ ଦିନିଆ ଫୁଟବଲ ମ୍ୟାଚର ଉଦ୍ଘାଟନ କରିଥିଲେ ।
ପ୍ରକାଶ ଯେ, ଶ୍ରୀ ମିଶ୍ର ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଲୋଇସିଂହା ନିର୍ବାଚନ ମଣ୍ଡଳିରୁ ପ୍ରଥମ ଥର ବିଜୟୀ ହୋଇ ଆଇନ ମନ୍ତ୍ରୀ ଭାବରେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ । ସେ ସମୟରେ ସାଧାରଣ ଜନତାଙ୍କ ହିତ ପାଇଁ ଆଇନ ବିଭାଗରେ ଅନେକ ଗୁଡିଏ ସଂସ୍କାର ଆଣି ପାରିଥିଲେ । ପରବର୍ତ୍ତି ସମୟରେ ସେ ବଲାଙ୍ଗିର ଜିଲ୍ଲାର ଏକମାତ୍ର ବ୍ୟକ୍ତି ଭାବରେ ଲୋଇସିଂହା, ବିନିକା ଏବଂ ବଲାଙ୍ଗିର ସଦର ଆସନରୁ ବିଧାୟକ ହୋଇ ରେକର୍ଡ କରିବା ପରେ ୨୦୨୪ରେ ନିର୍ବାଚନୀ ରାଜନୀତିରୁ ଅବ୍ୟାହତି ନେଇଥିଲେ । ରାଜ୍ୟର ଶ୍ରେଷ୍ଠ ରାଜନୀତିଜ୍ଞ ଭାବରେ ସେ ବିଧାୟକ, ବିରୋଧୀ ଦଳ ଉପନେତା, ବିରୋଧୀ ଦଳ ନେତା, କ୍ୟାବିନେଟ ମନ୍ତ୍ରୀ ଏବଂ ଜାତୀୟ ଆଇନ ଆୟୋଗ କମିଶନର ସଭ୍ୟ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ