
ସାରଣ, 27 ଡିସେମ୍ବର (ହି.ସ.)- ଛପରା ସହରର ଭଗବାନ ବଜାର ଥାନା ଅଞ୍ଚଳ ଅନ୍ତର୍ଗତ ଅମ୍ବିକା
କଲୋନୀରେ ଶୁକ୍ରବାର ରାତିରେ ଅଙ୍ଗାରର ଧୁଆଁ ହେତୁ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ଚାରିଜଣ
ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ତିନିଜଣ ଶିଶୁ ଓ ତାଙ୍କ ଜେଜେ ମାଆ ଅଛନ୍ତି।
ଏହି ଘଟଣାରେ ପରିବାରର ଅନ୍ୟ ଦୁଇଜଣ ସଦସ୍ୟଙ୍କ ଅବସ୍ଥା ଗୁରୁତର ଥିବାବେଳେ, ସେମାନଙ୍କର
ଚିକିତ୍ସା ସଦର ହସ୍ପିଟାଲରେ ଚାଲିଛି।
ପରିଜନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରବଳ ଶୀତ
ପଡ଼ିଥିବାରୁ ପରିବାରର ସମସ୍ତ ସଦସ୍ୟ ଗୋଟିଏ କୋଠରୀରେ ଅଙ୍ଗାର ଜଳାଇ ଶୋଇଥିଲେ। କୋଠରୀଟି
ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଭିତରେ ଅକ୍ସିଜେନ କମିଯାଇଥିଲା ଏବଂ ବିଷାକ୍ତ କାର୍ବନ୍
ମୋନୋଅକ୍ସାଇଡ୍ ଗ୍ୟାସ ଭରିଯାଇଥିଲା। ସକାଳେ ଜଣେ ସଦସ୍ୟ ଏହା ଦେଖି ଚିତ୍କାର କରିଥିଲେ, ମାତ୍ର
ସେତେବେଳକୁ ଚାରିଜଣଙ୍କର ଶ୍ୱାସ ବନ୍ଦ ହୋଇଯାଇଥିଲା। ତୁରନ୍ତ ସମସ୍ତଙ୍କୁ ସଦର ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ
ଡାକ୍ତରମାନେ ଚାରିଜଣଙ୍କୁ ମୃତ ଘୋଷଣା କରିଥିଲେ।
ମୃତକମାନଙ୍କ ମଧ୍ୟରେ ତେଜାଶ (୩), ଅଧ୍ୟାୟ (୪), ଗୁଡ଼ିଆ (୭ ମାସ) ଓ କମଳାବତୀ ଦେବୀ (୭୦) ଅଛନ୍ତି।
ଏହି ଘଟଣାରେ ଅମିତ କୁମାର, ଅମୀଷା ଓ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଥିବାବେଳେ ତାଙ୍କର
ଚିକିତ୍ସା ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା