
ପ୍ରାୟ ୧୫୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ- ଧର୍ମେନ୍ଦ୍ର ପ୍ରଧାନ
ଆଠମଲ୍ଲିକ, ୨୮ ଡିସେମ୍ବର (ହି.ସ.) - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଶୋରନଗର ଠାରେ ଆୟୋଜିତ ‘ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫’ରେ ଯୋଗଦେବା ସହ ଅଞ୍ଚଳର ପ୍ରଗତି ପାଇଁ ୧୧୮ କୋଟି ଟଙ୍କା ମୂଲ୍ୟର ୩୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ୩୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାୟ ୧୫୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ କଲ୍ୟାଣ ସହ ଜଡ଼ିତ ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ଜୀବନଶୈଳୀରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଆଣିବ । ସେ କହିଥିଲେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ସଙ୍କଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରଙ୍କ ସହଯୋଗରେ ଏହି ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବା ସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ ଓ ଦୁଗ୍ଧ ଚାଷ ଭଳି ଆନୁଷାଙ୍ଗିକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବ ।
ସୂଚନାଯୋଗ୍ୟ, ଏହି ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଅବସରରେ ଜିଲ୍ଲାର ବିକାଶ ପାଇଁ ମୋଟ ୧୪୯.୫୬ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ୫୮ଟି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ୧୧୮.୩୫ କୋଟି ମୂଲ୍ୟର ୩୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି, ଯେଉଁଥିରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ୫୦.୧୩ କୋଟିର ୫ଟି ପ୍ରକଳ୍ପ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୩.୮୦ କୋଟିର ୧୮ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୫୧.୪୦ କୋଟିର ୯ଟି ପ୍ରକଳ୍ପ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୧୦.୧୬ କୋଟିର ୨ଟି ପ୍ରକଳ୍ପ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨.୮୬ କୋଟି ମୂଲ୍ୟର ୨ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି ।
ଏହାସହ ଜନସାଧାରଣଙ୍କ ସେବା ନିମନ୍ତେ ୩୧.୨୧ କୋଟି ବ୍ୟୟରେ ନିର୍ମିତ ୨୨ଟି ପ୍ରକଳ୍ପର ଉଦଘାଟନ ମଧ୍ୟ କରାଯାଇଛି। ଏଥିରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ୧୩.୬୩ କୋଟିର ୨ଟି ପ୍ରକଳ୍ପ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୨.୫୪ କୋଟିର ୧୪ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୩.୧୫ କୋଟିର ୧ଟି ପ୍ରକଳ୍ପ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୩.୮୧ କୋଟିର ୧ଟି ପ୍ରକଳ୍ପ, ସ୍କୁଲ ଓ ଗଣଶିକ୍ଷା ବିଭାଗର ୭.୧୬ କୋଟିର ୨ଟି ପ୍ରକଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୦.୯୨ କୋଟିର ୨ଟି ପ୍ରକଳ୍ପ ସାମିଲ ଅଛି । ଏହି ସମସ୍ତ ପ୍ରକଳ୍ପ ଅନୁଗୋଳ ଜିଲ୍ଲାର ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ଉନ୍ନତି ଆଣିବା ସହ ସାଧାରଣ ଜନତାଙ୍କୁ ବିଶେଷ ଭାବେ ଉପକୃତ କରିବ । ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ୨୨୯ ହିତାଧିକାରୀମାନଙ୍କୁ ସରକାରୀ ସୁବିଧା ବିତରଣ ଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ