
୫୨ତମ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍ଯାପିତ
କେନ୍ଦୁଝର, 28 ଡିସେମ୍ବର (ହି.ସ.) ଛାତ୍ରଛାତ୍ରୀମାନେ ଛୋଟିଆ ଛୋଟିଆ ନମୁନା ଜରିଆରେ ବିସ୍ମୟ ସୃଷ୍ଟିକରିବାରେ ସମର୍ଥ।ସେଥିପାଇଁ ଅନୁସନ୍ଧିତ୍ସା ମନୋଭାବ ରହିବା ଆବଶ୍ୟକ।ଛୋଟ ବେଳେ ଯଦି ବିଜ୍ଞାନରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ହେବ,ତେବେ ଆଗାମୀ ଦିନରେ ତାହାର ସୁଫଳ ମିଳିବ ବୋଲି ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ୫୨ତମ ବାଲ ବୈଜ୍ଞାନିକ ପ୍ରଦର୍ଶନୀର ଆଜି ଉଦ୍ଯାପନୀ ସଭାରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି।
ସ୍ଥାନୀୟ ଡିଏନ ହାଇସ୍କୁଲଠାରେ ଚାଲିଥିବା ବାଲ ବୈଜ୍ଞାନିକ ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଅଧ୍ୟକ୍ଷତାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଆଜି ମୁଁ ମୋ ସାମ୍ନାରେ ଭବିଷ୍ୟତର ସି.ଭି. ରମଣ, ହରଗୋବିନ୍ଦ ଖୁରାନା,ଡ. ହୋମି ଜାହାଙ୍ଗିର ଭାବା,ଜଗଦୀଶ ଚନ୍ଦ୍ର ବୋଷ,ଡ. ସ୍ୱାମୀନାଥନ୍,ଡ. ଏ.ପି.ଜେ ଅବଦୁଲ କାଲାମ, ପ୍ରାଣକୃଷ୍ଣ ପରିଜାମାନଙ୍କୁ ଦେଖିପାରୁଛି।ଛାତ୍ରଛାତ୍ରୀମାନେ ଏ ଦେଶର ଭବିଷ୍ୟତ।ଏ ଦେଶକୁ ସଶକ୍ତ,ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ଉପରେ ରହିଛି ।
ସେ କହିଥିଲେ,ମହାକାଶ ଗବେଷଣା,ପ୍ରତିରକ୍ଷା,ଟେଲି ଯୋଗାଯୋଗ ପ୍ରତିଟି କ୍ଷେତ୍ରରେ ଆମ ଦେଶର ବୈଷୟିକ ଜ୍ଞାନକୌଶଳ ଶ୍ରେଷ୍ଠ ଭାବେ ପ୍ରତିପାଦିତ ହେବାରେ ଲାଗିଛି । ଆଜି ଆମେ ପ୍ରତିରକ୍ଷା କ୍ଷେତ୍ରରେ ବେଶ୍ ସୁଦୃଢ ।ଆମର ନିଜସ୍ୱ ଜ୍ଞାନକୌଶଳରେ ଅଗ୍ନି,ପୃଥୀ,ନାଗ, ବ୍ରହ୍ମୋସ,ଆକାଶ,ପିନାକ୍ ଭଳି ଦୂରଗାମୀ କ୍ଷେପଣାସ୍ତ୍ର ନିର୍ମାଣରେ ସଫଳତା ପାଇଛୁ ।ମାନବବିହୀନ ଉଡାଜାହାଜରୁ କ୍ଷେପଣାସ୍ତ୍ର ପରିବହନ ହେଉ ବା ସମୁଦ୍ରର ଅତଳ ଗର୍ଭରୁ ବୁଡାଜାହଜରୁ ଟର୍ପେଡୋ ଲଞ୍ଚ କରିବା ହେଉ ସବୁ ଆମ ବୈଜ୍ଞାନିକମାନେ ସମ୍ଭବ କରି ଦେଖାଇ ପାରିଛନ୍ତି ।ଏହି ସଫଳତା ଆମର ଦକ୍ଷତା ଓ ଶକ୍ତିର ପ୍ରଦର୍ଶନ କରେ ।ସେ କହିଥିଲେ,ଛୋଟ ଛୋଟ ନମୁନା ମାଧ୍ୟମର ଛାତ୍ରଛାତ୍ରୀମାନେ ବିସ୍ମୟ ସୃଷ୍ଟି କରିବାରେ ସମର୍ଥ ।ଅନୁସନ୍ଧିତ୍ସୁ ମନୋଭାବ ନୂତନ ସୃଷ୍ଟିର ସମ୍ଭାବନାକୁ ଜନ୍ମ ଦେଇଥାଏ ।ଆମ ମଧ୍ୟରେ ପ୍ରତ୍ୟେକ କଥାକୁ ବୁଝିବାର ଏବଂ ଏହାର ମୂଳରେ ପହଞ୍ଚିବାର ଉନ୍ମାଦନା ହିଁ ଆମକୁ ନୂଆନୂଆ ଆବିଷ୍କାର ଓ ଉଦ୍ଭାବନ ଆଣିଦେଇଛି ।ଏଣୁ ତୁମମାନଙ୍କ ମନରେ ସବୁବେଳେ ନୂଆ କିଛି କରିବାର ପ୍ରବଣତା ରହିବା ଦରକାର।ଆଜି ଟେଲି ଯୋଗାଯୋଗ କ୍ଷେତ୍ରରେ ଯେଉଁ ଉନ୍ନତି ଦେଖାଦେଇଛି ତାହା କଳ୍ପନାତୀତ। ଗାଆଁରେ ରହୁଥିବା ଲୋକମାନେ ବି ଆଜି ଇଣ୍ଟରନେଟ୍ର ଉପଯୋଗ କରିପାରୁଛି।ଆଜିର ଯୁଗ ସୂଚନା ପ୍ରଯୁକ୍ତିର ଯୁଗ ପାଲଟିଛି।ଯାହାପାଖରେ ଯେତେ ଅଧିକ ସୂଚନା ରହିଛି ସେ ସେତିକି ଶକ୍ତିଶାଳୀ।ପ୍ରତିଟି ମଣିଷ ଆଜି ମୋବାଇଲର ସେବା ପାଇପାରୁଛି।ମୋବାଇଲ୍ ମାଧ୍ୟମରେ ଘରେ ବସି ରେଳଟିକଟ କିଣି ପାରୁଛୁ।ଟ୍ରେନ୍ର ସମୟଠାରୁ ବିଶ୍ୱର ବିଭିନ୍ନ ବିଷୟରେ ଅବଗତ ହୋଇପାରୁଛି।
ସେ କହିଥିଲେ,ବିଜ୍ଞାନକୁ ଆମର ବିକାଶ କ୍ଷେତ୍ରରେ କିପରି ବିନିଯୋଗ କରାଯାଇ ପାରିବ ସେଥିପାଇଁ ଉଦ୍ୟମ କରାଯିବା ଉଚିତ।ମଣିଷ ଜୀବନର ମାନରେ ଉନ୍ନତି ଆଣିବ ପାଇଁ ବିଜ୍ଞାନର ଯଥେଷ୍ଟ ଗୁରୁତ୍ୱ ରହିଛି।ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ପରି ବହୁ କ୍ଷେତ୍ରରେ ବିଜ୍ଞାନର ଗୁରୁତ୍ୱ ରହିଛି ।ଜୀବନକୁ ସରସ ସୁନ୍ଦର କରିବାକୁ ବିଜ୍ଞାନର ଅବଦାନକୁ ଉପେକ୍ଷା କରିହେବ ନାହିଁ।ତେଣୁ ତୁମେମାନେ ସର୍ବଦା ବିକାଶର ବିଜ୍ଞାନ କଥା ଚିନ୍ତା କର ବିନାଶର ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଲେଇପଜିଗ ବିଶ୍ବବିଦ୍ୟାଳୟ ଜର୍ମାନୀରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଶିବାଶିଷ ଗିରି ଯୋଗ ଦେଇ ସାଂପ୍ରତିକ ଯୁଗରେ ବିଜ୍ଞାନର ଆବଶ୍ୟକତା ଓ ଏହାର ସୁବିନିଯୋଗକୁ ଗୁରୁତ୍ୱାରୋପ କରିଥିଲେ।ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ବାଲ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହ ଗବେଷଣାରେ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ବିଜ୍ଞାନ ମନସ୍କ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।ଏନ୍.ସି.ଇ.ଆର୍.ଟି ର ଆସୋସିଏଟ୍ ପ୍ରଫେସର ଡକ୍ଟର ଅରୁଣ ପ୍ରତାପ ସିକରୱାର,ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ,ଓଡ଼ିଶା,ଭୁବନେଶ୍ୱର ର ସହ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ସତ୍ୟ ନାରାୟଣ ମହାନ୍ତ,ରୁଦ୍ର ନାରାୟଣ ସାମଲ,ଜିଲ୍ଲା ବିଜ୍ଞାନ ଶିକ୍ଷା ପରିଦର୍ଶକ ପରମେଶ୍ବର ମହାନ୍ତ,ଡି.ଏନ୍.ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ୭ ଟି ବିଭାଗ ରୁ ୪ ଜଣ ଲେଖାଏଁ ମୋଟ ୨୮ ଜଣ ବାଲ ବୈଜ୍ଞାନିକଙ୍କୁ ଜୋନାଲ ସ୍ତର କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ନିଜ ନିଜର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିବା ପାଇଁ ମନୋନୀତ କରାଯାଇଛି।ଏହି ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କୁ ସଫଳ କରାଇବାରେ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ,ସମସ୍ତ କମିଟିର ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।ସମୟଶ୍ରୀ ଚାଟାର୍ଜୀ ମଞ୍ଚ ସଞ୍ଚାଳନ କରିଥିଲେ।ଶେଷରେ ଡି.ଏନ୍.ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA