
କଟକ, ୨୯ ଡିସେମ୍ବର (ହି.ସ.)- ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ହ୍ୟୁମାନଙ୍କ ମା' ଶେଫାଳୀ ସୁନା ଥାନାରେ ଦେଇଥିବା ଏତଲା ଆଧାରରେ ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ଶ୍ରୀ ଖିଲାରୀ କହିଛନ୍ତି ଯେ, ଏତଲାରେ ଥିବା ପ୍ରତ୍ୟେକ ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ । ମେଡିକାଲ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ରିପୋର୍ଟ ଆସିବା ପରେ ତର୍ଜମା କରାଯିବ ।
ଏନେଇ ଅଧିକ ସୂଚନା ଦେଇ ଡିସିପି ଶ୍ରୀ ଖିଲାରୀ କହିଛନ୍ତି ଯେ, ହ୍ୟୁମାନଙ୍କ ମା' ଶେଫାଳୀ ସୁନାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜ୍ଜୁ କରାଯାଇଛି । ଯାହା ଏବେ ତଦନ୍ତାଧିନ ରହିଛି । ଏହି ମାମଲାରେ ଯେଉଁମାନଙ୍କ ନାମ ଏତଲାରେ ରହିଛି ଏବଂ ହ୍ୟୁମାନଙ୍କ ଚିକିତ୍ସା ସମ୍ପର୍କିତ ଯାହା କାଗଜପତ୍ର ରହିଛି, ସେହି ଅନୁସାରେ ଆମେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସେ ଯେହେତୁ ଏମ୍ସରେ ଚିକିତ୍ସିତ ହେଉଥିଲେ ତେଣୁ ଆମେ ହ୍ୟୁମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଯୋଗାଯୋଗରେ ରହିଛୁ । କିଛି ଚିକିତ୍ସା ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ଆଣିଛି ପୁଲିସ । ଆଗକୁ ଯେଉଁ ଯେଉଁ ରିପୋର୍ଟ ରହିବ ଏବଂ ଡାକ୍ତରଙ୍କ ଯାହା ମତାମତ ରହିବ ସେହି ଅନୁସାରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତଦନ୍ତ ପ୍ରକ୍ରିୟା ଜାରି ରହିଛି । ହୋଇଥିବା ଅଭିଯୋଗର ଗୋଟି ଗୋଟି କରି ତଦନ୍ତ ହେବ । ସମସ୍ତ ପ୍ରମାଣକୁ ଏକାଠି କରିବାରେ ଲାଗିଛନ୍ତି ତଦନ୍ତକାରୀ ଟିମ୍ । ସବୁଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଶ୍ରୀ ଖିଲାରୀ ।
ପ୍ରକାଶ ଥାଉକି, ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା' ଶେଫାଳି ସୁନା ପୂର୍ବରୁ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ