
୩ ଦିନରେ ୫.୧୮ କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ
ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ଡିସେମ୍ବର ୨୦ ତାରିଖରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ସପ୍ତମ, ଅଷ୍ଟମ ଏବଂ ନବମ ଦିନ ଅର୍ଥାତ ଡିସେମ୍ବର ୨୬ ରୁ ୨୮ ପର୍ଯ୍ୟନ୍ତ ହୋଇଥିବା ଚଢ଼ାଉରେ ଅବକାରୀ ବିଭାଗ ୫୮୧ ଟି ମାମଲା ରୁଜୁ କରିବା ସହ ୫.୧୮ କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରିଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ତିନି ଦିନିଆ ଅଭିଯାନରେ ୨୦୦ ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ଏନଡିପିଏସ୍ ଆଇନ ଅନୁଯାୟୀ ଆଠଟି ମାମଲା ରୁଜୁ ହୋଇଛି। ଏଥି ସହିତ ବେଆଇନ କାରବାରରେ ଜଡିତ ୧୭ଟି ଗାଡ଼ି ଜବତ କରାଯାଇଛି।
ଜବତ ହୋଇଥିବା ମାଦକ ସାମଗ୍ରୀ ମଧ୍ୟରେ ୨୭,୬୮୯ ଲିଟର ବେଆଇନ ଦେଶୀ ମଦ, ୧୦୯୭ ଲିଟର ଡ୍ୟୁଟି ପେଡ୍ ଲିକର, ୨,୭୩,୮୬୦ ଲିଟର ମହୁଲ ପୋଚ ଏବଂ ୨୯,୦୫୦ କିଲୋ ଗୁଡ଼ ପୋଚ ଅନ୍ତର୍ଭୁକ୍ତ। ଏଥି ସହିତ ଚଢ଼ାଉକାରୀ ଦଳ ୭୨୦ କିଲୋ ମହୁଲି ଫୁଲ ମଧ୍ୟ ଜବତ କରିଛନ୍ତି। ଚଢ଼ାଉ ଅଭିଯାନ ସମୟରେ ୫୨ କିଲୋଗ୍ରାମ ଭାଙ୍ଗ ମଧ୍ୟ ଜବତ କରାଯାଇଛି।
ସେହିପରି ଜବତ ହୋଇଥିବା ବେଆଇନ ନିଶାଦ୍ରବ୍ୟ ମଧ୍ୟରେ ୩୮ କିଲୋଗ୍ରାମ ଗଞ୍ଜେଇ ଏବଂ ୨୫ ଗ୍ରାମ ବ୍ରାଉନସୁଗାର ଅନ୍ତର୍ଭୁକ୍ତ । ଏହା ସହିତ ଅବକାରୀ ଦଳ କୋରାପୁଟ ଏବଂ ମାଲକାନଗିରିରେ ଗଞ୍ଜେଇ ଗଛ ବେଆଇନ ଚାଷ ସହିତ ଜଡିତ ଦୁଇଟି ମାମଲା ରୁଜୁ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା