ଭୁବନେଶ୍ୱର, 11 ମାର୍ଚ୍ଚ (ହି.ସ.)– ପଂଚମବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପଂଚମବେଦ ସମ୍ମାନ-୨୦୨୫ ତଥା ଅମୀୟ ପଟ୍ଟନାୟକ ସ୍ମୃତି ସମ୍ମାନ-୨୦୨୫ ମାର୍ଚ୍ଚ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଯାଉଛି ।
ମାର୍ଚ୍ଚ ୧୨ ତାରିଖ ଉଦ୍ଘାଟନୀ ସନ୍ଧ୍ୟାରେ ଲାବଣ୍ୟ ଥିଏଟର, ଭୁବନେଶ୍ୱର ନାଟକ “ଭକ୍ତ ରାମଦାସ୍” ମଂଚସ୍ଥ କରିବେ । ଏତଦ୍ବ୍ୟତୀତ ୧୩ ମାର୍ଚ୍ଚରେ ଉତରପୁରୁଷ, ଭୁବନେଶ୍ୱରର ନାଟକ “ନାରୀର କଙ୍କାଳ”, ୧୪ ମାର୍ଚ୍ଚରେ ପଂଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ନାଟକ “ନମସ୍ୟା ଶ୍ୟାମଳୀ”, ୧୫ ମାର୍ଚ୍ଚରେ ବାଗ୍ଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ୱର ନାଟକ “ଜାତି ନନ୍ଦିଘୋଷ” ଓ ୧୬ ମାର୍ଚ୍ଚ ଉଦ୍ଯାପନୀ ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ନାଟ୍ୟଶାଳା, ପୁରୀ ନାଟକ “ଗାନ୍ଧୀ ଭୂମିକାରେ” ପରିବେଷଣ କରିବେ ।
୧୬ ମାର୍ଚ୍ଚ ଉଦ୍ଯାପନୀ ସନ୍ଧ୍ୟାରେ ଅମୀୟ ପଟ୍ଟନାୟକ ସ୍ମୃତି ସମ୍ମାନ-୨୦୨୫ରେ ସମ୍ମାନିତ ହେବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ଶ୍ରୀ ଦେବାନନ୍ଦ ନାୟକ (ସୋନି) । ସେହି ସନ୍ଧ୍ୟାରେ ପଞ୍ଚମବେଦନ ସମ୍ମାନ-୨୦୨୫ରେ ସମ୍ମାନିତ ହେବେ ଶ୍ରୀ କୃଷ୍ଣଚରଣ ସିଂହ (ସଙ୍ଗଠକ ଓ ସଙ୍ଗୀତ ନିର୍ଦ୍ଦେଶକ), ଶ୍ରୀ ଅଶୋକ ବହିଦାର, (ବିଶିଷ୍ଟ ନାଟ୍ୟକାର) ଶ୍ରୀ କୈଳାସ ପାଣିଗ୍ରାହୀ (ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା), ଶ୍ରୀ ରତିକାନ୍ତ ବେହେରା (ନାଟ୍ୟ ସଙ୍ଗଠକ, ନିର୍ଦ୍ଦେଶକ ଓ ଅଭିନେତା) ଓ ସୁଶ୍ରୀ ସୁକାନ୍ତି ମହାପାତ୍ର (ବରିଷ୍ଠ ଅଭିନେତ୍ରୀ) । ପଂଚମବେଦ ତରଫରୁ ସଭାପତି ଜଗନ୍ନାଥ ପ୍ରଧାନ, କାର୍ଯ୍ୟକାରୀ ସଭାପତି ହରେନ୍ ସାହୁ ଓ ସମ୍ପାଦକ ପ୍ରକାଶ ମହାରଣା ବିନମ୍ର ଏହି ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା