ଏଟିଏମ୍ ଲୁଟେରା ଗିରଫ, ୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ
ଏଟିଏମ୍ ଲୁଟେରା ଗିରଫ, ୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ
ଏଟିଏମ୍ ଲୁଟେରା ଗିରଫ, ୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ


ଏଟିଏମ୍ ଲୁଟେରା ଗିରଫ, ୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ


ସମ୍ବଲପୁର,୧୨ ମାର୍ଚ୍ଚ (ହି.ସ.) ଆଜି ସମ୍ବଲପୁର ଟାଉନ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିପାରିଛି । ପୋଲିସ ଜଣେ ଏଟିଏମ୍ ଲୁଟେରାକୁ ଗିରଫ କରିବା ସହ ତା' ଠାରୁ ନଗଦ ୧୯ ଲକ୍ଷ ୬୪ ହଜାର ୩୦୦ ଟଙ୍କା, ଦୁଇଟି ମୋବାଇଲ ଓ ଏକ ସ୍କୃ-ଡ୍ରାଇଭର ଜବତ କରିଥିବ ସୂଚନା ମିଳିଛି । ଲୁଟେରା ଜଣକର ପରିଚୟ ଅନୁସନ୍ଧାନ କରିବାରେ ସେ ଜଣେ ଏଟିଏମ୍ ପରିଚାଳନା ସଂସ୍ଥାର ବୈଷୟିକ କର୍ମଚାରୀ, ସମ୍ବଲପୁର ଜିଲା ଯୁଯୋମୁାରା ଥାନା ଅନ୍ତର୍ଗତ ଟାମ୍ପରଗଡ଼ ଗ୍ରାମର ସୁମନ୍ ସାହୁ(୨୫) ବୋଲି ଜଣାପଡିଛି।

ଏମ୍ପର୍କରେ ଜିଲା ପୋଲିସ ମୁଖ୍ୟାଳୟରେ ବୁଧବାର ଅପରାହ୍ନରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବଲପୁର ସହର ନୟାପଡ଼ାସ୍ଥିତ ଭାରତୀୟ ଷ୍ଟେଟ ବ୍ଯାଙ୍କ ବଜାର ଶାଖା ପ୍ରବନ୍ଧକ ମନୋଜ କୁମାର ମହାନନ୍ଦ ବୁଧବାର ପୂର୍ବାହ୍ନରେ ଟାଉନଥାନାରେ ତାଙ୍କ ଶାଖା ସଂଲଗ୍ନ ଏଟିଏମ୍ ରୁ ଟଙ୍କା ଚୋରି ହୋଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଏତଲାକୁ ଆଧାର କରି ପୋଲିସ ଟାଉନ ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୫(ଏ) ଦଫାରେ ୬୮/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା । ଶାଖା ପ୍ରବନ୍ଧକ ମହାନନ୍ଦ ତାଙ୍କ ଅଭିଯୋଗରେ ଗତକାଲି ଫେବୃଆରୀ ୧୧ ତାରିଖ ସକାଳ ୭ଟା ୫ ମିନିଟ୍ ରେ ତାଙ୍କ ବ୍ୟାଙ୍କର ହାଇଦ୍ରାବାଦ ସ୍ଥିତ ଇ-ସର୍ବଲାନ୍ସ ଟିମ୍ ପକ୍ଷରୁ ଉକ୍ତ ଏଟିଏମ୍ ର ଚେଷ୍ଟ ଡୋରକୁ ସକାଳ ୫ଟା ୧୩ ମିନିଟ୍ ରେ ଅନଧିକୃତ ଭାବେ ଖୋଲାଯାଇ ଟଙ୍କା ଚୋରି ସମ୍ପର୍କରେ ସୂଚନା ମିଳିଥିବା ଦର୍ଶାଇଥିଲେ। ମିଳିଥିବା ସୂଚନା ଅନୁସାରରେ ସେ ଏଟିଏମ୍ ପରିଦର୍ଶନ କରି ସେଥିରୁ ଟଙ୍କା ଚୋରି ହୋଇଥିବା ନିଶ୍ଚିତ ହୋଇଥିଲେ ବୋଲି ଉଲ୍ଲେଖ କରିଥିଲେ। ଟାଉନ ଥାନାର ତଦନ୍ତକାରୀ ପୋଲିସ ଦଳ ଏଟିଏମ୍ ରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଅନୁଧ୍ୟାନ କରିବା ସହ ଅନ୍ୟାନ୍ୟ ସୂତ୍ର ସହାୟତାରେ ତତକ୍ଷଣାତ୍ ଲୁଟେରା ସୁମନ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ପୋଲିସ ସୁମନକୁ ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରା ଉଚରା କରିବା ପରେ ସେ ଏଟିଏମ୍ ରୁ ଟଙ୍କା ଲୁଟ୍ କରିଥିବା ସ୍ୱୀକାର କରିବା ପରେ ତତକ୍ଷଣାତ୍ ପୋଲିସ ସୁମନକୁ ଗିରଫ କରିଥିଲା । ଲୁଟ୍ ଟଙ୍କାର ସ୍ଥିତାବସ୍ଥା ସମ୍ପର୍କରେ ଜେରା କରିବା ପରେ ନିଜ ଘରର କେଉଁଠି ଟଙ୍କା ରଖିଛି ସୂଚନା ଦେବାପରେ ତାଙ୍କ ଘରୁ ଲୁଟ୍ ଟଙ୍କା ଉଦ୍ଧାର କରାଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ ଭାମୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଟିଏମ୍ ପିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ଅଧିନରେ କାର୍ଯ୍ୟ କରି ଏଟିଏମ୍ ଖୋଲିବା, ଏଟିଏମ୍ ରେ ଟଙ୍କା ଭର୍ତ୍ତି କରିବା ଆଦି ବିଭିନ୍ନ କାର୍ଯ୍ୟରେ ବୈଷୟିକ ଭାବେ ନିପୁଣ ଅଭିଯୁକ୍ତ ସୁମନ୍ ପାଇଁ ଏଟିଏମ୍ ଚେଷ୍ଟ ଡୋର ଖୋଲି ଟଙ୍କା ଚୋରି କରିବା ସହଜ ହୋଇଥିଲା । ତେବେ ଏଟିଏମ୍ ରୁ ଟଙ୍କା ଲୁଟ୍ କରିବାରେ ସେ ଏକାକୀ ନା ତା' ସହିତ ଅନ୍ୟ କେଉଁମାନେ ସମ୍ପୃକ୍ତ ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସପି କହିଛନ୍ତି । ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିଲା । ଏସଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ ଖାରଚ ହୋଇଯିବା ପରେ ତାକୁ ସମ୍ବଲପୁର ମଣ୍ଡଳ ଜେଲକୁ ପଠାଇ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande