ସମ୍ବଲପୁର, ୧୨ ମାର୍ଚ୍ଚ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଉପଖଣ୍ଡ କିସିଣ୍ଡା ଖଳାଶୁଣି ଅଭୟାରଣ୍ୟ ବନାଞ୍ଚଳରେ ଚାଲିଛି ଅବାଧ ଜନ୍ତୁ ଶିକାର। ନିୟମିତ ଶିକାର କରିବା ସହ ବନ୍ୟଜନ୍ତୁଙ୍କ ମାଂସ ଖୋଲାଖୋଲି ଭାବେ ବିକ୍ରି ହେଉଛି । ଯାହାକୁ ନେଇ ଗଇଲିମୁଣ୍ଡି ଗ୍ରାମରେ ଚଢ଼ଉ କରିଥିଲା ବନ ବିଭାଗ ଅଧିକାରୀ ଓ କର୍ମଚାରୀ। ଏହି ଚଢ଼ାଉ ସମୟରେ ଶିକାର କରାଯାଇଥିବା ୧୨ କେଜି ଓଜନର ଏକ ଝିଙ୍କ, ଗୋଟିଏ ଗୁରାଣ୍ଡି ସହ ୨ଟି ସମ୍ବର ଶିଙ୍ଗ, ୨ ବଣ୍ଡଲ ମୟୁରପୁଛ ଜବତ କରାଯାଇଥିଲା। ଶିକାର ପାଇଁ ବ୍ୟବହାର ହୋଇଥିବା ଗୋଟିଏ ଦେଶୀ ବନ୍ଧୁକ ସହ ୧୫ଟି ଅଫୁଟା ଗୁଳି, ୨ଟି କଟୁରୀ, ଗୋଟିଏ ଟାଙ୍ଗିଆ, ଗୋଟିଏ ବାଟୁଳି, ଗୋଟିଏ କାଣ୍ଡିଆ, ୧୦ କେଳି ବାଇଣ୍ଡିଂ ତାର ଫାଶ ଏବଂ ୭୬ଟି ଛେରରା ସହ ଶିକାର ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ବନବିଭାଗର ଏହି ଚଢ଼ାଉ ସମ୍ପର୍କରେ ପୂର୍ବ ସୂଚନା ପାଇ ଘଟଣାରେ ସମ୍ପୃକ୍ତ ୩ ଶିକାରୀ ଫେରାର ହୋଇଯାଇଛନ୍ତି। କେବଳ ମୃତ ଝିଙ୍କି ଓ ଅନ୍ୟ ବନ୍ୟପ୍ରାଣୀଙ୍କ ଦେହାବଶେଷ ଜବତ ସିନା ବନବିଭାଗ ଜବତ କରିପାରିଲେ ହେଲେ ଅଭିଯୁକ୍ତ କୈାଣସି ଶିକାରୀଙ୍କୁ କାବୁ କରିବାରେ ବିଫଳ ହୋଇଥିବା ଭିନ୍ନ ଚର୍ଚ୍ଚା ଧରିଛି ।
ସୂଚନାନୁସାରେ କିସିଣ୍ଡା ଥାନା ଗଇଲମୁଣ୍ଡି ଗାଁ ନିକଟ ଖଳାଶୁଣି ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର କରାଯାଇ ଗଇଲମୁଣ୍ଡି ଗାଁର ରାଜୁ କୁମୁରା ଘରେ ଲୁଚାଇ ରଖାଯାଇଥିଲା। ଖବର ପାଇ ରେଞ୍ଜର ମହେନ୍ଦ୍ର ସାହୁ, ଫରେଷ୍ଟର ଅନୁରାଧା ଖର୍ସେଲ ଏବଂ ଅନ୍ୟ କର୍ମଚାରୀ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରାଜୁ କୁମରାଙ୍କ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହ ୩ଜଣ କୌଶଳକ୍ରମେ ଫେରାର ମାରିଥିଲେ। ସହଯୋଗୀ ୨ ଜଣ ଭୁଲୁକି ଗ୍ରାମର ଚକ୍ରଧର ସମର୍ଥା ଏବଂ କବି ନାଏକ ବୋଲି ଜଣାପଡ଼ିଛି । ବନ ବିଭାଗ ରାଜୁ କୁମୁରାଙ୍କ ଘରୁ ଉପରୋକ୍ତ ସାମଗ୍ରୀ ଜବତ କରିଥିଲା। ମୃତ ଝିଙ୍କି ଦେହରୁ ଶିକାରୀମାନେ ଚମଡ଼ା ବାହାର କରି ଦେଇଥିବା ବେଳେ ଦେହରୁ ଗୋଟିଏ ଗୁଳି ଉଦ୍ଧାର ହୋଇଛି। ଫେରାର ଥିବା ୩ ଜଣ ଶିକାରୀଙ୍କ ବିରୋଧରେ ବନ ବିଭାଗ ମାମଲା ରୁଜୁ କରି ତଦନ୍ତ କରୁଛି। ମୃତ ଝିଙ୍କି ଓ ଗୁରାଣ୍ଡିର ମୃତଦେହ ବ୍ୟବଚ୍ଛେଦ
ପରେ ପୋତି ଦିଆଯାଇଥିବା ରେଞ୍ଜର୍ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିବାରେ ଲାଗିଛି। ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି। ଏଥିସହ ଖରା ବଢୁଥିବାରୁ ବନ୍ୟପ୍ରାଣୀ ନଈ ନାଳକୁ ପାଣି ପିଇବା ପାଇଁ ଆସୁଥିବା ବେଳେ ଏହାର ସୁଯୋଗ ନେଇ ଶିକାରୀମାନେ ଅବାଧରେ ଜନ୍ତୁ ଶିକାର କରି କେଳି ୩ ଶହରୁ ୫ଶହ ଟଙ୍କାରେ ବିକ୍ରି କରୁଛନ୍ତି। ବାରହା, ବଜ୍ରକାପ୍ତା, ହାତୀ, ମୟୁର ଏବଂ କଲରାପତରିଆ, ହରିଣ ଏହାର ଶିକାର ହେଉଛନ୍ତି।ଖଳାଶୁଣି ଜଙ୍ଗଲକୁ ସରକାର ଅଭୟାରଣ୍ୟ ଘୋଷଣା କରିଛନ୍ତି। ହେଲେ ଶିକାରୀଙ୍କ ଦୌରାତ୍ମ୍ୟ ଯୋଗୁଁ ଅଭୟାରଣ୍ୟ ଦିନକୁ ଦିନ ବନ୍ୟ ପ୍ରାଣୀ ଶୂନ୍ୟ ହେବାରେ ଲାଗିଛି। ଏହାକୁ ନେଇ ବୁଦ୍ଦିଜୀବୀ ମହଲରେ ନୈରାଶ୍ୟ ଦେଖାଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ