ଭୁବନେଶ୍ୱର, 12 ମାର୍ଚ୍ଚ (ହି.ସ.)- ଜଟଣୀ ବ୍ଲକ ଅନ୍ତର୍ଗତ ଦକ୍ଷତା ବିକାଶ କେନ୍ଦ୍ର (ଏସ. ଡି. ଆଇ ) ତରାବୋଇ ଠାରେ ଲକ୍ଷ ପତି ଦିଦି କର୍ମଶାଳା ଉଦଯାପିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପାଳ, ଖୋର୍ଦ୍ଧା ପ୍ରତାପ କୁମାର ବେଉରିଆ ଯୋଗଦେଇ କହିଲେଯେ ଆମ ସଂସ୍କୃତି ମହାନ, ଯେଉଁଥିରେ ପ୍ରାଚୀନ କାଳରୁ ନାରୀକୁ ଅବଳା ଦୁର୍ବଳା କେହି କହି ନାହାନ୍ତି । ଆମର ସଂସ୍କୃତି ସୀତା ସାବିତ୍ରୀ ର ସଂସ୍କୃତି, ମହିଳାମାନେ ପ୍ରାଚୀନ ସମୟରୁ ସାହାସୀ ଥିଲେ ଯାହା ଲକ୍ଷ୍ମୀବାଇଙ୍କ ଚରିତ୍ରରୁ ଜଣାପଡେ । ସରକାରଙ୍କ ତରଫରୁ ଯେଉଁ ଯୋଜନା ପ୍ରଣୟନ ହେଉଛି ତାହା ନାରୀଶକ୍ତିକୁ ଉଜ୍ଜୀବିତ କରି ମୁଖ୍ୟ ସ୍ରୋତରେ ସାମିଲ କଲେ ରାଷ୍ଟ୍ରର ସାମାଜିକ ଓ ଅର୍ଥନୈତିକ ଉତ୍ଥାନ ସମ୍ଭବ ହେବାସହ ମହିଳା ମାନେ ଅସୀମ ଶକ୍ତିର ଆଧାର ହୋଇ ପାରିବେ ବୋଲି ସେ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେଯେ ଲକ୍ଷପତି ଦିଦି ଯୋଜନାକୁ ଅଧିକରୁ ଅଧିକ ସାକାର କରିବାକୁ ସରକାର ବଦ୍ଧ ପରିକର ଅଟନ୍ତି ଯାହା ରାଜ୍ୟର ଦ୍ରୁତ ବିକାଶକୁ ତ୍ୱରାନ୍ୱିତ କରି ପାରିବ ।
ସମ୍ମାନିତ ଅତିଥି ସ୍ୱାଗତ ସମ୍ଭାଷଣରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେଯେ ଲକ୍ଷପତି ଦିଦି କର୍ମଶାଳା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନର ଉତ୍କୃଷ୍ଟ କାରିଗରୀ କୌଶଳ, ପାରମ୍ପାରିକ କୁଟୀର ଓ ହସ୍ତକଳା ଶିଳ୍ପ ମହିଳା ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରାଇବାସହ ଲକ୍ଷପତି ଦିଦିରୁ କୋଟିପତି ଦିଦି ହେବାର ରାସ୍ତା ଦେଖାଇବ । ସ୍ୱୟଂ ସାହାୟିକା ଗୋଷ୍ଠୀ ମାନେ (ଏସ ଏଚ ଜି )ରୁ ଏସ ଏମ ଇ ତଥା ଓରମାସ ସହଯୋଗରେ କୃଷି ଓ ଅଣକୃଷି ଶିଳ୍ପ କ୍ଷେତ୍ରରେ ସ୍ଥାନୀୟ ପରିବେଶ ଓ ବିପଣନ୍ନ ଚାହିଦା ଅନୁଯାଇ ମହିଳା ମାନେ ଉଦ୍ୟୋଗୀ ହୋଇ ଆଗକୁ ଆଗକୁ ବଢିବା ପାଇଁ ଆହ୍ୱାନ ଦେଇଥିଲେ ।
ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି,ସ୍ମିତା ମହାନ୍ତି, ସାଧାରଣ ପରିଚାଳକ, ଡି ଆଇ ସି, ଶୁଚିସ୍ମିତା ମଲ୍ଲିକ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ,ବି ଡି ଓ, ଖୋର୍ଦ୍ଧା, କ୍ଷୀରକ୍ଷଦି ତନୟା ସାହୁ, ବି ଡି ଓ, ଟାଙ୍ଗୀ, ରୁମାନା ଜାଫ୍ରି ପ୍ରମୁଖ ଯୋଗଦେଇ ନିଜ ନିଜ ବିଭାଗୀୟ ମହିଳା ସଶକ୍ତି କରଣ କାର୍ଯ୍ୟ ଏବଂ ମହିଳା ମାନଙ୍କ ଦ୍ୱାରା ଗ୍ରାମୀଣ ଉତ୍ପାଦ କିଭଳି ବ୍ୟାପକ ପ୍ରଚାର ହେବାସହ ଏହାର ବିକ୍ରିବଟା ବୃଦ୍ଧି ହେବ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।
ଖୋର୍ଦ୍ଧା ଜିଲ୍ଲାରେ ୫୭ହଜାର ଲକ୍ଷପତି ଦିଦି ଯୋଜନାରେ ସାମିଲ ହେବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୨୧ହଜାର ଲକ୍ଷପତି ଦିଦିଙ୍କୁ ଯୋଜନାରେ ସାମିଲ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା