ସମ୍ବଲପୁର, ୧୪ ମାର୍ଚ୍ଚ (ହି.ସ) ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ସନାତନପାଲି ଠାରେ ଗତ କାଲି ବଣୁଆ ହାତୀ ଉପଦ୍ରବ କରି ଗ୍ରାମର ବହୁ ତରଭୁଜ ଚାଷକୁ ଦଳିଚକଟି କ୍ଷୟକ୍ଷତି କରିଥିବା ନେଇ ସୁଚନା ମିଳିଛି। ହେଲେ ଆଜି ଭୋର୍ ୫ଟା ୪୫ ମିନିଟ ସମୟରେ ଦୁଇଟି ହାତୀ ଜାତୀୟ ରାଜପଥ ପାରିହୋଇ ସନାତନପାଲି ଠାରୁ ନିଲଡୁଙ୍ଗୁରୀ ପଟକୁ ଯାଉଥିବା ନେଇ କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ସୁଚନା ମିଳିଛି। ତେବେ ଏହି ୨ଟି ବଣୁଆ ହାତୀ ଜାତୀୟ ରାଜପଥ ପାରି ହେଉଥିବା ବେଳେ ବନବିଭାଗ କର୍ମଚାରୀ ମାନେ ଏମାନଙ୍କର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ।
ନୀଳଡୁଙ୍ଗରି ଟୋଲପ୍ଲାଜା ନିକଟ ରାଜପଥ ଅଞ୍ଚଳ ହାତୀ ମାନଙ୍କ ଚଲାପଥ ହୋଇଥିବାରୁ ଏହି ରାସ୍ତା ଆଜି ନହେଲେ କାଲି କୈାଣସି ବଡ଼ ଧରଣର ବିପଦକୁ ଟାଣି ଆଣିବା ଆଶଙ୍କା ରହିଛି। ତେଣୁ ଏଠାରେ ଜାତୀୟ ରାଜପଥର ଡିଜାଇନ ବଦଳାଇ ହାତୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଅଣ୍ଡର ବାଇପାସ ରାସ୍ତା ନିର୍ମାଣ କରିବାକୁ ବାରମ୍ବାର ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ମାତ୍ର ଏହି ଦାବିକୁ ଅଣଦେଖା କରି ଜାତୀୟ ରାଜପଥ ପ୍ରାଧିକରଣ ଯେଉଁ ଭୁଲ କରି ଚାଲିଛନ୍ତି ତାହା ଅକ୍ଷମଣୀୟ ବୋଲି ଅନେକ କ୍ଷତିଗ୍ରସ୍ତ ଲୋକେ ପ୍ରକାଶ କରିଛନ୍ତି। ଗୌଡ଼ପାଲି ନିକଟସ୍ଥ ଖସୁପାଲି ନୁହେଁ ବରଂ ନୀଳଡୁଙ୍ଗରିରେ ହାତୀଙ୍କ ଚଲାପଥ ଥିବାରୁ ଏଠାରେ ହିଁ ଅଣ୍ଡରବାଇପାସ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରି ଏନଏଚଆଇ ପିଡିଙ୍କୁ ମଧ୍ୟ୍ୟ ଦାବି ପତ୍ର ଦେଇଥିଲେ। ଭବିଷ୍ୟତକୁ ଆଖି ଆଗରେ ରଖି ପ୍ରାଣୀଧନ ଓ ମାନବ ଜୀବନ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନିକ ତତ୍ପରତା ପ୍ରକାଶ କରି ନୀଳଡୁଙ୍ଗରୀ ଠାରେ ଅବିଳମ୍ଭେ ଅଣ୍ଡରବାଇପାସ ରାସ୍ତା ନିର୍ମାଣ କରିବାକୁ ସଚେତନ ନାଗରିକଙ୍କ ଠାରୁ ଆରମ୍ଭ କରି ଅନେକ ବୁଦ୍ଧିଜୀବୀ
ଦୃଷ୍ଟି ଆକର୍ଷଣ କରାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ