ପୁରୀ, ୧୪ ମାର୍ଚ୍ଚ (ହି.ସ.)- ଆଜି ଦୋଳପୂର୍ଣ୍ଣିମା । ଶ୍ରୀମନ୍ଦିରରେ ନୀତିନିର୍ଘଂଟ ଅନୁଯାୟୀ ସମ୍ପନ୍ନ ହୋଇଛି ଦୋଳ ପୂର୍ଣ୍ଣିମା । ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ପବିତ୍ର ତିଥିରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ସୁନାବେଶ ତଥା ରାଜରାଜେଶ୍ୱର ବେଶରେ ଦର୍ଶନ କରିଛନ୍ତି । ସକାଳ ଧୂପ ପରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ସଂନ୍ଧ୍ୟାଧୂପ ପରେ ବେଶ ଓଲାଗି ହୋଇଛି । ବର୍ଷକ ମଧ୍ୟରେ ଅନୁଷ୍ଠିତ ଅନେକ ବେଶ ମଧ୍ୟରୁ ଶ୍ରୀଜୀଉମାଙ୍କର ସୁନାବେଶ ବା ରାଜବେଶ ଅତ୍ୟନ୍ତ ମନୋମୁଗ୍ଧକର । ଏହି ବେଶରେ ଠାକୁରମାନେ ବହୁ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି ।
ଶ୍ରୀଜୀଉଙ୍କ ସୁନାବେଶରେ ସୁବର୍ଣ୍ଣ ଶ୍ରୀଭୁଜ-୪ଟି, କିରୀଟ-୩ଟି, ଶ୍ରୀପୟର-୪, କର୍ଣ୍ଣ(କାନ)-୬, ଓଡିଆଣୀ-୩, ଚନ୍ଦ୍ରସୂର୍ଯ୍ୟ-୬, କୁଣ୍ଡଳ-୪, ଚିତା(ତିଳକ)-୨, ଚନ୍ଦ୍ରିକା-୨, ଘାଘଡା ମାଳି-୧, କଦମ୍ବ ମାଳୀ-୪, ହରିଡା କଦମ୍ବ ମାଳୀ-୧, ବାହାଡ଼ା ମାଳୀ-୨, ତାବିଜ ମାଳୀ-୧, ବାଘନଖି ମାଳୀ-୧, ସେବତୀମାଳୀ-୩, ହଳ ମୂଷଳ-୨, ଚକ୍ର-୧, ତ୍ରିଶାଖା-୨, ଅଳକା-୩, ଶ୍ରୀମୁଖପଦ୍ମ-୪, ରୂପା ଶଙ୍ଖ-୧, ତଗଡି-୨ଟି ଆଦି ରତ୍ନଅଳଙ୍କାର ବ୍ୟବହୃତ ହୋଇଥାଏ ।
ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜବେଶ ବା ସୁନାବେଶ ପ୍ରାୟ ୫ ଥର ହୋଇଥାଏ । ଏହା ସାଧାରଣତଃ ବିଜୟାଦଶମୀ (ଦଶହରା), ପୌଷ ପୂର୍ଣ୍ଣିମା(ପୁଷ୍ୟାଭିଷେକ), ଦୋଳ ପୂର୍ଣ୍ଣିମା, କାର୍ତିକ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ (ରଥ ଉପରେ ) ଅନୁଷ୍ଠିତ ହୋଇଥାଏ । ବର୍ଷକ ମଧ୍ୟରେ ମୋଟ ୫ ଥର ସୁନାବେଶ ମଧ୍ୟରୁ ୪ ଥର ସୁନାବେଶ ବା ରାଜବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବେଳେ ଆଷାଢ଼ ମାସ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ଶ୍ରୀବିଗ୍ରହମାନ ସୁନାବେଶକୁ ସର୍ବ ଧର୍ମ, ସର୍ବ ମତବାଦର ଜନସାଧାରଣ ତଥା ଭକ୍ତଗଣ ଦର୍ଶନ କରିଥାନ୍ତି । ସୁନା ବେଶର ଅନ୍ୟ ନାମ ହେଉଛି ରାଜବେଶ ଓ ରାଜରାଜେଶ୍ୱର ବେଶ । ଏହି ନୀତି ୩୨ମୂର୍ତି ଅଳଙ୍କାର ଲାଗି କରାଯାଇ ରାଜବେଶ କରାଯାଏ । ଏହା ସାଙ୍ଗକୁ ବେଶ ସମୟରେ ଠାକୁରମାନଙ୍କୁ ୫ ଖଣ୍ଡ ପୁଷ୍ପମାଳ ଲାଗି କରାଯାଏ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ