ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ପାରମ୍ପାରିକ ବଙ୍ଗଳା ସଙ୍ଗୀତ ବାଉଲ ସହିତ ଭକ୍ତି ଓ ସୁଫି ସଙ୍ଗୀତ ପରିବେଷଣ
ଭୁବନେଶ୍ୱର, 7 ମାର୍ଚ୍ଚ (ହି.ସ.)– ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ୧୩ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା ପାରମ୍ପାରିକ ବଙ୍ଗଳା
ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ପାରମ୍ପାରିକ ବଙ୍ଗଳା ସଙ୍ଗୀତ ବାଉଲ ସହିତ ଭକ୍ତି ଓ ସୁଫି ସଙ୍ଗୀତ ପରିବେଷଣ


ଭୁବନେଶ୍ୱର, 7 ମାର୍ଚ୍ଚ (ହି.ସ.)– ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ୧୩ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା ପାରମ୍ପାରିକ ବଙ୍ଗଳା ଲୋକ ସଙ୍ଗୀତ ବାଉଲ ସହିତ ଭକ୍ତି ଓ ସୁଫି ସଙ୍ଗୀତ ।

ସଂଧ୍ୟାର ପ୍ରଥମ ସଙ୍ଗୀତ କାର୍ଯ୍ୟକ୍ରମ ଥିଲା ବାଉଲ ବାଦ୍‌ଶା୍‌ହା ମଧୁ ସୁଦନଙ୍କ ଦ୍ୱାରା ବଙ୍ଗଳା ଲୋକ ସଙ୍ଗୀତ ବାଉଲ ପରିବେଷଣ । ଏହି ଲୋକ ସଙ୍ଗୀତ ବାଉଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିରନ୍ତର ରୂପେ ଯାଇ ସଙ୍ଗୀତ ଦ୍ୱାରା ଲୋକମାନଙ୍କର ଭଲପାଇବା ଓ ଚିରନ୍ତନ ପ୍ରେମର ପ୍ରଚାର କରିଥାଏ । ମଧୁ ସୁଦନଙ୍କ ଦ୍ୱାରା ପରିବେଷିତ ବାଉଲ ଦର୍ଶକମାନଙ୍କୁ ଏକ ଆଧ୍ୟାତ୍ମିକ ଓ ଭାବପୂର୍ଣ୍ଣ ପରିବେଶକୁ ନେବା ସହ ଏକତାରା, ଦୋତାରା, ଘୁଙ୍ଗୁର ଭଳି ପାରମ୍ପାରିକ ବାଉଲ ବାଦ୍ୟରେ ସେ ଦର୍ଶକଙ୍କୁ ବିମୋହିତ କରିଥିଲେ । ତାଙ୍କୁ କଣ୍ଠ ଓ ଦୋତାରାରେ ବାଉଲ ସନାତନ ହାଜରା ଏବଂ ପର୍କ୍ୟୁସନ୍ ରେ ମନୋରଞ୍ଜନ ହାଜରା ସହଯୋଗ କରିଥିଲେ ।

ସଂଧ୍ୟାର ଶେଷ ଉପସ୍ଥାପନା ଥିଲା ବିଦୁଷୀ ରାଗିଣୀ ରାଇନୁଙ୍କ ଦ୍ୱାରା ଭକ୍ତି ଓ ସୁଫି ସଙ୍ଗୀତ ପରିବେଷଣ । ସେ ଅମୀର ଖୁସରୋ, ରୁମୀ ଏବଂ ବୁଲେହ ଶାସ ଇତ୍ୟାଦି ପ୍ରାଚୀନ ସୁଫି ମାଷ୍ଟରଙ୍କ ଲେଖନୀର ପୁଷ୍ପଗୁଚ୍ଛ ପରିବେଷଣ କରିଥିଲେ। ଶାସ୍ତ୍ରୀୟ, ଅର୍ଦ୍ଧ ଶାସ୍ତ୍ରୀୟ, ଭକ୍ତି ସଙ୍ଗୀତ, ସୁଗମ ସଙ୍ଗୀତ, ଗଜଲ ଏବଂ ସୁଫି ସଙ୍ଗୀତ ଉପରେ ତାଙ୍କର ଆଧିପତ୍ୟ ତାଙ୍କୁ ଜଣେ ବହୁମୁଖୀ କଣ୍ଠଶିଳ୍ପୀରେ ପରିଣତ କରିଥିଲା । ତାଙ୍କର ବଳିଷ୍ଠ ଗାୟନ, ଉଚ୍ଛ୍ୱାସ ଓ ଅଦମ୍ୟ କଣ୍ଠସ୍ୱର ରହସ୍ୟବାଦର ଉଲ୍ଲାସମୟ ଅଭିବ୍ୟକ୍ତିକୁ ଜୀବନ୍ତ କରିଦେଇଥିଲା । ତାଙ୍କୁ ହାରମୋନିୟମ୍ ରେ ଅଜୟ କୁମାର ଦାଶ, ଗିଟାରରେ ଭବତୋଷ ମହାନ୍ତି, ତବ୍ଲାଇରେ ଦୁଷ୍ମନ୍ତ କୁମାର ପରିଡ଼ା ଏବଂ ଢୋଲକ୍ ରେ ସୁବ୍ରତ ବେହେରା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ତାଙ୍କର ଏହି ଭକ୍ତିରସାତ୍ମକ ସୁଫି ସଙ୍ଗୀତର ମଜା ନେଇଥିଲେ।

ସଂଧ୍ୟାର ଅତିଥିମାନେ ଥିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ସଡଙ୍ଗୀ; ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଡ଼କ୍ଟର ଅରବିନ୍ଦ ବେହେରା, ଭୁବନେଶ୍ୱର ମ୍ୟୁଜିକ ସର୍କଲର କୋଷାଧ୍ୟକ୍ଷ ଗିରିଜା ପ୍ରସାଦ ପାଣିଗ୍ରାହୀ ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ସଙ୍ଗୀତା ଗୋସାଇଁ । ଏହି ସମର୍ପଣ ସଙ୍ଗୀତ କାର୍ଯ୍ୟକ୍ରମଟିର ସିଧାପ୍ରସାରଣ ଭୁବନେଶ୍ୱର ମ୍ୟୁଜିକ ସର୍କଲର ୟୁଟ୍ୟୁବ୍ ଚ୍ୟାନେଲରେ କରାଯାଉଛି ।

....................

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande