ଧର୍ମଶାଳା୧୩ଏପ୍ରିଲ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆଜି ରାଜନୈତିକ ହିଂସା ଦେଖିବାକୁ ମିଳିଛି । ତାହା ପୁଣି ପୋଲିସ ଉପସ୍ଥିତିରେ । ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ଚାଲିଥିବା ମା’ ହିଙ୍ଗୁଳାଙ୍କ ଯଜ୍ଞକୁ ଦର୍ଶନ କରିବାକୁ ସମର୍ଥକମାନଙ୍କ ଯାଇଥିଲେ । କିନ୍ତୁ ଯଜ୍ଞ ମଣ୍ଡପ ପୂର୍ବରୁ ପଂହଚିବା ପୂର୍ବରୁ କିଛି ଅସମାଜିକ ଯୁବକ ଠେଙ୍ଗା ଓ ମାରଣାସ୍ତ୍ର ଧରି ପ୍ରଣବକୁ ଅଟକାଇବା ଫଳରେ ସେଠାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା । ଫଳରେ ପ୍ରଣବଙ୍କ ସମର୍ଥକ ମଧ୍ୟ ଏପରି ଘଟଣାକୁ ପ୍ରତିବାଦ କରିଥିଲେ । ପ୍ରଣବଙ୍କୁ ଅଟକାଇବାକୁ ଆସିଥିବା ଯୁବକମାନେ ତାଙ୍କ ଗାଡିକୁ ସେମାନେ ଠେଙ୍ଗାରେ ପିଟିଥିଲେ । ଫଳରେ ଗାଡିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଏପଟେ ପୂର୍ବତନ ବିଧାୟକଙ୍କୁ ଜୀବନରୁ ମାରି ଦେବାକୁ ଯୋଜନାବଦ୍ଧ ଘଟଣା ଘଟାଇଥିବା ଅଭିଯୋଗ କରିଛନ୍ତି । ବର୍ତମାନର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ଆଣିଛନ୍ତି । ଯଜ୍ଞ ମଣ୍ଡପ ଯିବା ପୂର୍ବରୁ ଶ୍ରୀ ବଳବନ୍ତରାୟ ଯାଜପୁର ଆରକ୍ଷୀ ଅଧିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ନିନ୍ଦା କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ,ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ,ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି । ସେପଟେ ଆରୁହା ଗ୍ରାମର ଯୁବକମାନେ ଅସମାଜିକ କାର୍ଯ୍ୟ ଘଟାଇଥିବା ଯବୁକମାନଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ଘଟିବା ପରେ ଯାଜପୁର ରୋଡ ଏସ୍ଡିପିଓ ଲକ୍ଷ୍ମୀଧର ସ୍ୱାଇଁ ଘଟଣାସ୍ଥଳରେ ପଂହଚି ଅନୁଧ୍ୟାନ କରିଥିବା ଜଣାପଡିଛି । ଆରୁହା ଅଂଚଳରେ ବ୍ୟାପକ ପୋଲିସ ମୃତୟନ ହୋଇଥିବା ଜଣାପଡିଛି । ବର୍ତମାନ ପରିସ୍ଥିତ ଶାନ୍ତ ରହିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ