ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.) -ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଦୁଇଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ମୟୁରଭଞ୍ଜ (ପଶ୍ଚିମ) ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଇରଙ୍ଗପୁରର କଚେରୀ ପଡ଼ିଆ ଠାରେ ଆଦିବାସୀଙ୍କ ନ୍ୟାୟ ପାଇଁ ଅନୁଷ୍ଠିତ ବିଶାଳ ସାଧାରଣ ସଭାରେ ଯୋଗଦେଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଡେଙ୍ଗୁରା ପିଟୁଥିବା ବିଜେପି ସରକାର ଗତ ୨୬ ମାର୍ଚ୍ଚ ଦିନ ରାଇରଙ୍ଗପୁର ବ୍ଳକର ପୁରୁଣାପାଣି ପଂଚାୟତର ୪୩ଜଣ ଆଦିବାସୀ ପରିବାରଙ୍କୁ ବୁଲଡଜର ଲଗାଇ ବାସଚ୍ୟୁତ କରିଦେଇଛନ୍ତି । ଦାଣ୍ଡବୋଷ ଏୟାରଷ୍ଟ୍ରିପ ସମ୍ପ୍ରସାରଣ ନାମରେ ପ୍ରଶାସନ ନିରୀହ ଆଦିବାସୀଙ୍କ ଉପରେ ଦାଉ ସାଧୁଛି ବୋଲି ସେ ଯୋଗଦେଇ କହିଥିଲେ। ଉକ୍ତ ପରିବାର ଗୁଡ଼ିକ ୪୦ ବର୍ଷରୁ ଅଧିକ ସମୟ ଧରି ଚାରଣଭୂମିରେ ରହୁଥିଲେ। ପ୍ରଶାସନ କୌଣସି ଉଦ୍ଦେଶ୍ୟ ପାଇଁ ଜମି ଅଧିଗ୍ରହଣ କରିବାପୂର୍ବରୁ ଅନୁସୂଚିତ ଅଂଚଳରେ ବାଧ୍ୟତାମୂଳକ ଗ୍ରାମସଭା କରିନଥିଲା। ବିସ୍ଥାପନ ପୂର୍ବରୁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିଲା । ପ୍ରକୃତରେ ୩୦ ଦିନର ନୋଟିସ ଅବଧିରୁ ୮ ଦିନ ପରେ ଘରଭାଙ୍ଗି ଦିଆଯାଇଥିଲା।ଜିଲ୍ଲା ପ୍ରଶାସନର ଏଭଳି ଅମାନବୀୟ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ଶ୍ରୀଯୁକ୍ତ ଦାସ । ସେ ଦାଣ୍ଡବୋଷରେ ଥିବା ପ୍ରଖ୍ୟାତ ସାନ୍ତାଳୀ ଭାଷାବିତ କିମ୍ବଦନ୍ତୀ ପୁରୁଷ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦାଣ୍ଡବୋଷକୁ ଏକ ଐତିହ୍ୟ ଗ୍ରାମ ଘୋଷଣା କରିବାକୁ ମଧ୍ୟ ଦାବି କରିଥିଲେ । ସମସ୍ତ କ୍ଷତିଗସ୍ତ ଓ ବାସଚ୍ୟୁତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବାକୁ ଶ୍ରୀ ଦାସ ଦାବି କରିଛନ୍ତି । ଭାଙ୍ଗି ଦିଆଯାଇଥିବା ଘରଗୁଡ଼ିକୁ ସରକାରଙ୍କ ସହାୟତାରେ ପୁନଃନିର୍ମାଣ କରାଯାଉ । କୋର୍ଟ ଜ୍ଞାତସାରରେ ଗ୍ରାମସଭା ଆୟୋଜନ କରାଯାଇ ତାର ନିଷ୍ପତି ଅନୁଯାୟୀ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯାଉ । ଯେଉଁ ଅଧିକାରୀମାନେ ଅମାନୁଷିକ ଭାବରେ ବିସ୍ଥାପିତ ଆଦିବାସୀଙ୍କ ଉପରେ ଯେଉଁ ଅତ୍ୟାଚାର କଲେ ସେମାନଙ୍କ ଉପରେ ପେଷା ଆଇନ ଓ ଗ୍ରାମସଭାକୁ ଅବମାନନା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନିଆଯାଉ
ଏହି ଅବସରରେ ଶ୍ରୀ ଦାସ ରୁଙ୍ଗଟା ପ୍ରକଳ୍ପରୁ ବିସ୍ଥାପିତ ହେବାର ସମ୍ଭାବନା ଥୁବା ଆନନ୍ଦପୁରର ଗ୍ରାମବାସୀଙ୍କ ଭେଟିଥିଲେ ଏବଂ ସେମାନଙ୍କର ଥଇଥାନ ଏବଂ ଆବାସ ପାଇଁ ଦୃଢ଼ ଦାବି କରିବେ ବୋଲି କହିଥିଲେ। ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବାପୂର୍ବରୁ ପିଚୁକୋଳି ଡାକବଙ୍ଗଳା ଠାରେ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ବିସ୍ଥାପିତ ପରିବାରର ଲୋକମାନଙ୍କୁ ଭେଟିଥିଲେ। ଏହାପରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବଜାର ପରିକ୍ରମ କରିଥିଲେ । ଓ ମହାତ୍ମା ଗାନ୍ଧୀ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ଏକ ଜନସମ୍ପର୍କ ପଦଯାତ୍ରାରେ ସଭାସ୍ଥଳକୁ ଯାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା