କୋଟି କୋଟି ଟଙ୍କା ଖର୍ଚ୍ଚ ହେଲାଣି, ବଦଳୁନି ମୂଷାନଈର ଭାଗ୍ୟ
ପୁରୀ, ୨୦ ଅପ୍ରେଲ (ହି.ସ.)- ପୁରୀର ପ୍ରବେଶ ପଥ ଅଠରନଳା । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ( ଏଏସଆଇ ) ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି । ଅଠରନଳା ପୋଲଟି ବିପଦସଙ୍କୁଳ ସ୍ଥିତିକୁ ଆସିବା ପରେ ଏହା ଉପରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଐତିହ୍ୟ ସ୍ମାରକୀ ଭାବେ ଏବେ ସଂରକ୍ଷିତ । ପ୍
ବଦଳୁନି ମୂଷାନଈର ଭାଗ୍ୟ-୫


ବଦଳୁନି ମୂଷାନଈର ଭାଗ୍ୟ-୪


ବଦଳୁନି ମୂଷାନଈର ଭାଗ୍ୟ-୩


ବଦଳୁନି ମୂଷାନଈର ଭାଗ୍ୟ-୨


ବଦଳୁନି ମୂଷାନଈର ଭାଗ୍ୟ-୧


ବଦଳୁନି ମୂଷାନଈର ଭାଗ୍ୟ


ପୁରୀ, ୨୦ ଅପ୍ରେଲ (ହି.ସ.)- ପୁରୀର ପ୍ରବେଶ ପଥ ଅଠରନଳା । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ( ଏଏସଆଇ ) ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି । ଅଠରନଳା ପୋଲଟି ବିପଦସଙ୍କୁଳ ସ୍ଥିତିକୁ ଆସିବା ପରେ ଏହା ଉପରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଐତିହ୍ୟ ସ୍ମାରକୀ ଭାବେ ଏବେ ସଂରକ୍ଷିତ । ପ୍ରାୟ ୧୩୦୦ ମସିହାରେ ଏହା ନିର୍ମାଣ ହୋଇଥିବା ଅନୁମାନ କରାଯାଏ । ଅଠରନଳା ଦେଖିଲେ ଭକ୍ତ ଭାବବିହ୍ୱଳ ହୋଇଯାଏ । ବିଶ୍ୱସ୍ତରୀୟ ସହର ହେବ ପୁରୀ ସହର । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଠରନଳା ମୂଷାନଈରୁ ଦଳ ଓ ପଙ୍କ ସଫା କରାଯାଇଥିଲା । ପଙ୍କ କଢା ମେସିନ ପ୍ରାୟ ଦୁଇ ବର୍ଷ ନଦୀ ଭିତରେ ପଡି ରହିଥିଲା । ପ୍ରାୟ ୨୦ ଜଣ ଦଳକଢା ଶ୍ରମିକଙ୍କୁ ନିୟୋଜିତ କରାଯାଇ ଦଳ ସଫା କରାଯାଇଥିଲା । ଡ୍ରେନେଜ୍ ବିଭାଗ ଏବଂ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) କେବଳ ଫାଇଲ୍ ପତ୍ରରେ ହିସାବ କରି ରଖିଥିବା ବେଳେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରଠାରୁ ଗୋଟିଏ ଇଂଚ ମଧ୍ୟ କାମ ହୋଇନାହିଁ । ନିଘୋଡ଼ ନିଦ୍ରାରେ ଶୋଇଛି ଡ୍ରେନେଜ୍ ବିଭାଗ । ଏ ସମ୍ପର୍କରେ ଡ୍ରେନେଜ୍ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ମୂଷାନଈ କାମର ଦାୟିତ୍ୱ ଓବିସିସି ନେଇଛି । ଅନ୍ୟପକ୍ଷରେ ଓବିସିସି ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ଆମର ଯନ୍ତ୍ରୀ ବଦଳି ହୋଇଛନ୍ତି । ନୂଆ ଯନ୍ତ୍ରୀ ଆସିଲେ କାମ ହେବ । ସେପଟେ ମୂଷାନଈର କଲିକତି ଦଳ କିଛି ଶୁଣୁନାହିଁ, ମାଡି ଚାଲିଛି ବୋଲି ସହରରେ ଚର୍ଚ୍ଚା ହେଉଛି ।

ଜାତୀୟ ସ୍ମାରକୀ ଅଠରନଳାର ଉପର ସୌନ୍ଦର୍ଯ୍ୟକରଣ କରିବା ପାଇଁ ଅଫଳନ୍ତି କିଛି ଗଛ ପ୍ଲାଷ୍ଟିକ କୁଣ୍ଡରେ ରଖାଯାଇଛି । ସିକ୍ୟୁରିଟି ଗାର୍ଡ ଜଗି ରହିଛି । ପ୍ରବାସୀ ଓଡିଆ ଆଗମନ, ନୂଆବର୍ଷ ଓ ରଥଯାତ୍ରା ସମୟରେ ସ୍ୱତନ୍ତ୍ର ଭାବେ ଅଠରନଳାକୁ ସଜାଯାଇ ନେଳି ନାଲି ଆଲୋକରେ ଆଲୋକିତ କରାଯାଉଛି । ତେବେ ଅଠରନଳା ମୂଷା ନଈ ଭିତରେ ଥିବା ଦଳର ସ୍ଥିତି ଅତି ସାଂଘାତିକ । ଏହା ମୂଷା ମାନଙ୍କର ଏନ୍ତୁଡିଶାଳ ପାଲଟିଛି । ଡ୍ରେନେଜ ନାଳରେ ସହରର ପାଣି ନୂଆ ବ୍ରିଜ ତଳେ ଭସ ଭସ ହୋଇ ନିଷ୍କାସିତ ହେଉଛି । ସ୍ୱରେଜ ପାଇପ ମଧ୍ୟ ବ୍ରିଜ ତଳେ ଯାଇଥିବାରୁ ମ୍ୟାନହୋଲରେ ଦୁର୍ଗନ୍ଧ ବାହାରୁଛି । ପଲିଥିନ, ମଦ ବୋତଲ, ପ୍ଲାଷ୍ଟିକ ବୋତଲ, ମଲା କୁକୁର ଓ ବିଲେଇ ତଳେ ସଢୁଛନ୍ତି । ପଙ୍କ ପ୍ରବଳ ପାଣି କମ ଯୋଗୁ ଦୁର୍ଗନ୍ଧମୟ ସ୍ଥିତି ଉପୁଜିଛି । ବ୍ରିଜ ଉପରେ ପୌରସଂସ୍ଥା ଗାଡିରେ ପବିତ୍ର ପୁରୀ ଗର୍ବ ଆମରି ବାଜୁଛି ।

ସେହିପରି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀର ପ୍ରବେଶପଥ ଅଠରନଳା ଓ ମୂଷାନଈର ସୌନ୍ଦର୍ଯ୍ୟକରଣ ଯୋଜନା ହୋଇଥିଲା । ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ଗୋଟିଏ ପର୍ଯ୍ୟଟକ ସେଠାରେ ଦେଖିବାକୁ ମିଳୁନାହାନ୍ତି । ହୁଳହୁଳିଆ ପୋଲ ଠାରୁ ଆଖଣ୍ଡଳମଣି ପଛପଟ ଦେଇ ଗରୁଡ଼ ଛକ ପର୍ଯ୍ୟନ୍ତ ଚଲାପଥ ନିର୍ମାଣ ହୋଇଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଷ୍ଟିଲ ବାଡ ହୋଇଛି । କେତେକ ସ୍ଥାନରେ ଷ୍ଟିଲ ବାଡକୁ ଦୁର୍ବୁତ ଉପାଡି ଦେଇଥିବା ଦେଖିବାକୁ ମିଳିଛି । ଅଠରନଳା ପୁରୁଣା ବ୍ରିଜ ଓ ନୂଆ ବ୍ରିଜ ମଝିରେ ଧର୍ମକୁ ଆଖିଠାର ପରି ଗୋଟିଏ ଡଙ୍ଗା ଶିକୁଳିରେ ବନ୍ଧା ହୋଇ ନଷ୍ଟ ହେବାକୁ ବସିଲାଣି ।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅଠରନଳାର ମୂଷାନଈ ଚିରସ୍ରୋତା ଥିଲା । ଜଗନ୍ନାଥଙ୍କ ଦର୍ଶନ ପାଇଁ ଘାଟ ଡଙ୍ଗା ଓ ଘାଟ ପଢିଆରୀ ବ୍ୟବସ୍ଥା ଥିଲା । ତୀର୍ଥଯାତ୍ରୀ ମାନେ ତୀର୍ଥକର (ପିଲଗ୍ରିମ ଟ୍ୟାକ୍ସ)ଦେଇ ପୁରୀକୁ ପ୍ରବେଶ କରୁଥିଲେ । କାଳକ୍ରମେ ନଦୀ ପୋତି ହୋଇଯିବାରୁ ଓ ଦଳ ପ୍ରବଳ ଯୋଗୁଁ ପାଣି ଯାଉନାହିଁ । ଅପପକ୍ଷରେ ହୁଳୁହୁଳିଆ ପୋଲ ଦେଇ ହରେକୃଷ୍ଣପୁର, ସମଗରା, ଗୋପାଳପୁର ଆଦି ମୌଜାରୁ ବର୍ଷା ଦିନେ ପାଣି ହୁଳୁହୁଳିଆ ପୋଲ ଦେଇ ମୂଷାନଈକୁ ଆସୁଥିଲା । ଏବେ ଜୋର, ଜଳାଶୟ ଓ ଜଳ ନିଷ୍କାସନ ସ୍ଥାନରେ ଜନବସତି ଓ ଘର ନିର୍ମାଣ ଯୋଗୁଁ ଗହୀର ବିଲ ପାଣି ହୁଳୁହୁଳିଆ ପୋଲ ପାଖକୁ ଆସିବା ପାଇଁ ବାଟ ପାଉନାହିଁ । ମୂଷାନଦୀରେ ଜଳସ୍ତର କମିବାରୁ ଦଳ ପ୍ରବଳ ବେଗରେ ମାଡି ଚାଲିଛି । ପୁରୀ ସହରକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ କେବଳ ବୋର୍ଡ ଲାଗିଛି । ହେଲେ ପ୍ରକୃତ ପକ୍ଷେ ଯେତିକି କାମ ହେବା କଥା ତାହା ଅଦ୍ୟାବଧି ହୋଇପାରିନାହିଁ । ଫଳରେ ଲୋକଙ୍କ ଆଶା ଆକାଂକ୍ଷା ଧୂଳିସାତ ହୋଇଛି । ଅଠରନଳା ପୁରୁଣା ବ୍ରିଜ ଠାରୁ ମଙ୍ଗଳାଘାଟ-ହରେକୃଷ୍ଣପୁର ରାସ୍ତା ପର୍ଯ୍ୟନ୍ତ ମଙ୍ଗଳାନଦୀକୁ ସଂଯୋଗ କରିବା ପାଇଁ ହୋଇଥିବା ଯୋଜନା ଏବେ ସୁଦ୍ଧା ଫଳବତୀ ହୋଇପାରିନାହିଁ । ଡ୍ରେନେଜ ବିଭାଗର କାମ ବନ୍ଦ କରି ଓବିସିସିକୁ କାମ ଦିଆଯାଇଥିଲା । ନୂଆ ସରକାର ପୁରୀର ପ୍ରବେଶ ପଥକୁ ସୌନ୍ଦର୍ଯ୍ୟକରଣ ଓ ମୂଷାନଦୀର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିବାକୁ ଅଂଚଳବାସୀ, ସହରବାସୀ ଓ ବୁଦ୍ଧିଜୀବୀମାନେ ଦାବି ଉଠାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande