ଭଦ୍ରକ, ୧୮ ମଇ (ହି.ସ.) - ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣାରେ ମୃତକଙ୍କ ସଂପର୍କୀୟଙ୍କୁ ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ କରାଯାଇଛି। ସିଡିଏମ୍ଓଙ୍କ ଉପସ୍ଥିତିରେ ସେଫାର୍ଡର ମୁଖ୍ୟ ଜଗନ୍ନାଥ ମହାନ୍ତି ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଅପ୍ରେଲ ୨୪ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିଲା ଅଘଟଣ। ଜଣେ ରୋଗୀ ଷ୍ଟ୍ରେଚରରେ ରହିଥିବାବେଳେ ହଠାତ୍ ଲିଫ୍ଟ ଚାଲିଥିଲା। ଯାହାଫଳରେ ମହିଳା ଜଣଙ୍କ ଚାପି ହୋଇ ମୃତ୍ୟୁ ହୋଇଯାଇଥିଲେ। ଏହି ଘଟଣା ପରେ ଚାରିଆଡୁ ଉଠିଥିଲା ବିବାଦ। ଘଟଣାକୁ ୧୫ ରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ପରିବାରକୁ ମିଳିନଥିଲା କ୍ଷତିପୂରଣ। ଶେଷରେ ପରିବାରକୁ ମିଳିଛି କ୍ଷତିପୂରଣ। ମୃତକଙ୍କ ସଂପର୍କୀୟଙ୍କ ଉପସ୍ଥିତିରେ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଇଛି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ