ସୁବର୍ଣ୍ଣପୁର, 17 ଜୁନ୍ (ହି.ସ.)
ଚଳିତ ରବି ଋତୁରେ ଅମଳ ଧାନ ବିକିବା ନେଇ ଚାଷୀ ଆଖିରୁ ନିଦ ହଜାଇ ମଣ୍ଡିରେ ଧାନ ଗଚ୍ଛିତ ରଖିଛି ସତ ହେଲେ ଧାନ ଉଠୁ ନାହିଁ ।ଅନ୍ୟ ପଟେ ବିକ୍ରି ପାଇଁ ପାଇଥିବା ଟୋକୋନ ଅବଧି ଆଜି କାଲି ମଧ୍ୟରେ ସରି ଯାଉଥିବାରୁ ଅନେକ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ୍ ଧାନ ବିକ୍ରି ହେବା ନେଇ ଅନଶ୍ଚିତତା ସୃଷ୍ଟି କରିଛି।ଫଳରେ ଚାଷୀ କୁଲ ବାଧ୍ୟ ହୋଇ ପ୍ରଶାସନର ଦ୍ବାରସ୍ଥ ହୋଇ ନିଜର ହକ ଦାବୀ ନେଇ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ଭୁଖରେ ଧାରଣା ଆରମ୍ଭ କରିଛି।ସୂଚନା ଯୋଗ୍ୟ ଯେ ଦୁନିଆକୁ ଆହାର ଯୋଗାଉଥିବା ଚାଷୀ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ବୋଝ ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ।ଫଳରେ ଚାଷୀକୁଳ ନିରାଶ ହୋଇ କେମିତି ଧାର କରଜ ପରିଶୋଧ କରିବ ସେନେଇ ଚିନ୍ତାଗ୍ରସ୍ତ ।ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ରବି ଋତୁରେ ଚାଷୀ ତାର ସୁନାର ଫସଲକୁ ଦେଖି ବେଶ ହସଖୁସିରେ ଥିଲା ହେଲେ ଧାନ ଅମଳ ବେଳେ କାଳ ବୈଶାଖୀ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି।ମଣ୍ଡି ଖୋଲିଲା ଧାନ ବିକ୍ରି ନେଇ ଚାଷୀ ପ୍ରସ୍ତୁତ ହେଲା ଚାଷ ଜମିରୁ ନିଜର କଷ୍ଟପାର୍ଜିତ ଧାନକୁ ଯୁଦ୍ଧକାଳୀନ ଭିତ୍ତିରେ ଅମଳ କରିବାରେ ଲାଗିଲା ହେଲେ ମଝିରେ ମଝିରେ ଅଦିନିଆ ବର୍ଷା ଲାଗି ରହିବା ଯୋଗୁଁ ଧାନ ଅମଳରେ ବିଳମ୍ବ ହେଲା ଅନ୍ୟ ପଟେ ଅମଳ ଧାନ ଖଳାରେ ଶୁଖାଇଲା ହେଲେ ବର୍ଷାରେ ଭିଜିଲା। ଏପରି ଭାବେ ଚାଷୀକୁଳ କ୍ଷତିଗ୍ରସ୍ତ ହେଲା । ତଥାପି ବି ଚାଷୀକୁଳ ଧର୍ଯ୍ୟହରା ନହୋଇ ନିଜର ଅମଳ ଧାନକୁ ମଣ୍ଡିକୁ ବିକିବା ପାଇଁ ନେଲା କିନ୍ତୁ ଧାନ ସହଲ ନ ଉଠିବାରୁ କିଏ ୪/୫ ଦିନ ତ ଆଉ କିଏ ୧୦/୧୨ଦିନ ଧରି ଚାଷୀ ଅଖିଆ ପିଆ ଆଖିରୁ ନିଦ ହଜାଇ ନିଜର ଧାନକୁ ଜଗି ରହିଛି।ହେଲେ ମଣ୍ଡିରୁ ଧାନ ଉଠୁନାହିଁ ।ଇତି ମଧ୍ୟରେ କାହାର ଟୋକନ୍ ଅବଧିର ସମୟ ସରି ଯାଇଥିବା ବେଳେ ଆଉ କାହାର ଦିନେ ଦୁଇଦିନ ରହିଛି ।ବିଶେଷ କରି ବିନିକା ମଣ୍ଡିରେ ୧୦ଦିନ ହେଲା ଧାନ ଉଠୁ ନଥିବାରୁ ମଣ୍ଡି ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି।ସେହିପରି ବ୍ଲକର ଅଧିକାଂଶ ସ୍ଥାନରେ ଥିବା ସେବା ସମବାୟ ସମିତି ମାନଙ୍କରେ ମଧ୍ୟ ଧାନ ଉଠୁ ନଥିବାରୁ ଚାଷୀ ମାନେ ଚିନ୍ତାଗ୍ରସ୍ତରେ ପଡ଼ି ଯାଇଛନ୍ତି। ଏଭଳି ସ୍ଥିତିରେ ହକ ଦାବୀ ନେଇ ଆଜି ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଙ୍ଗଠନ ତରଫରୁ ଶତାଧିକ ଚାଷୀ ବିନିକା ସ୍ଥିତ ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ପରେ ଉପସ୍ଥିତ ସମସ୍ତ ଚାଷୀ ଧାରଣା ଦେଇଥିଲେ ।ଘଟଣା ସ୍ଥଳକୁ ଜିଲ୍ଲା ଯୋଗାଣ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ଚାଷୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ହେଁ ଚାଷୀ ନିଜ ଜିଦରେ ଅଟଲ ରହିଥିଲେ ।ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ମଣ୍ଡିରୁ ଶୀଘ୍ର ଧାନ ଉଠିବ ବୋଲି କହିବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ ।ପୁନର୍ବାର ଯଦି ଧାନ ନ ଉଠେ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚାଷୀକୁଳ ଧମକ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ