କ୍ଷେତ୍ର ସ୍ତରୀୟ ଅଭିଯାନ ଜାରି ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୦ ଜୁନ (ହି.ସ) - ବିଭିନ୍ନ ବିଭାଗ ମାନଙ୍କର କ୍ଷେତ୍ର ସ୍ତରରେ ସମନ୍ୱିତ ଏବଂ ଏକାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଡାଇରିଆ ସ୍ଥିତିରେ ସୁଧାର ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ.ଙ୍କ ସମୀକ୍ଷାରୁ ଏହା ଜଣାପଡ଼ିଛି ।
ସମୀକ୍ଷାରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଥିଲେ ଯେ ଯାଜପୁର ଜିଲ୍ଲାରେ ଚଳିତ ମାସ ୧୦ ତାରିଖ ଦିନ ଦେଖା ଦେଇଥିବା ଡାଇରିଆ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିଛି । ଗତ ୭ ଦିନ ମଧ୍ୟରେ ବିଭିନ୍ନ ଡାକ୍ତରଖାନାମାନଙ୍କରେ ସଂକ୍ରମିତ ଡାଇରିଆ ରୋଗୀଙ୍କ ଆଡ଼ମିଶନରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି । ଜୁନ୍ ୧୦ ତାରିଖ ଦିନ ୧୨୬ ଜଣ ଆକ୍ରାନ୍ତ ହୋଇଥିଲେ । ଜୁନ୍ ୧୧ ତାରିଖ ଦିନ ଦାନଗଦି, କୋରେଇ, ଧର୍ମଶାଳା ଓ ବ୍ୟାସ ନଗର ପୌରାଞ୍ଚଳ ଆଦି ଅଞ୍ଚଳରୁ ୧୫୦ ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଆଡ଼ମିଶନ ହୋଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଗୃହ ଓ ନଗର ଉନ୍ନୟନ, ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ମାନଙ୍କରେ ତ୍ୱରିତ ଏବଂ ସମନ୍ୱିତ କାର୍ଯ୍ୟକ୍ରମ ଯୋଗୁ ୧୨ ତାରିଖ ଠାରୁ ସଂକ୍ରମିତ ସଂଖ୍ୟା କମିବା ଆରମ୍ଭ ହୋଇଥିଲା । ୧୨ ତାରିଖ ଦିନ ୧୩୫ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ ଯାହାକି ୧୫ ତାରିଖ ବେଳକୁ ୧୨୧ କୁ ଏବଂ ୧୮ ତାରିଖ ବେଳକୁ ୯୧ କୁ କମିଥିଲା । ସୁକିନ୍ଦା ଏବଂ ବଡ଼ଚଣାର କେତେକ ଜାଗାରେ କାଁ ଭାଁ ବିକ୍ଷିପ୍ତ ଭାବେ କିଛି ବ୍ୟକ୍ତିଙ୍କ ସଂକ୍ରମଣ ଜଣାପଡିବା ମାତ୍ରେ ଆଶୁ ସେବା ଦଳ (ରାପିଡ୍ ରେସପନସ୍ ଟିମ୍) ସଂପୃକ୍ତ ସ୍ଥାନରେ ପହଞ୍ଚି ସ୍ଥାନୀୟ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରିଥିଲେ । ଗତ କାଲି (୧୯ ତାରିଖ) ବିଭିନ୍ନ ହସ୍ପିଟାଲମାନଙ୍କରେ ୭୧ ଜଣ ନୂଆ ସଂକ୍ରମିତ ଆଡ଼ମିଶନ ହୋଇଥିଲେ । ଗତ କାଲି ରାତି ସୁଦ୍ଧା ଜିଲ୍ଲାରୁ ସମୁଦାୟ (୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ) ୧୧୬୭ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଆଡ଼ମିଶନ ହୋଇଥଲେ । ସେମାନଙ୍କ ମଧ୍ୟରୁ ୧୦୪୫ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରି ଥିଲେ ଏବଂ ୮୨ ଜଣ ଚିକିତ୍ସାଧୀନ ଥିଲେ ।
ସେହିପରି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅନୁରୂପ ଡାଇରିଆ ସଂକ୍ରମଣ ହ୍ରାସ ପରିଲକ୍ଷିତ ହୋଇଛି । ଜୁନ ୧୦ ତାରିଖରେ ୭୯ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ ଯାହାକି ଜୁନ ୧୨ ରେ ୪୪, ଏବଂ ୧୮ ବେଳକୁ ୩୮ କୁ ହ୍ରାସ ପାଇଥିଲା । ୧୯ ତାରିଖ ରାତି ସୁଦ୍ଧା ୧୭ ଜଣ ନୂଆ ସଂକ୍ରମିତ ଆଡ଼ମିଶନ ହୋଇଥିଲେ । ଗତକାଲି ରାତି ସୁଦ୍ଧା କେନ୍ଦୁଝର ଜିଲ୍ଲାରୁ ସମୁଦାୟ (୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ) ୪୯୭ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪୫୪ ଜଣ ଆରୋଗ୍ୟ ଲାଭ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ, ଏବଂ ୩୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଥିଲେ ।
ବର୍ତ୍ତମାନ ସାରା ରାଜ୍ୟରେ ଡାଇରିଆ ନିରାକରଣ ଅଭିଯାନ ଚାଲୁ ରହିଛି। ଯାଜପୁର, କେନ୍ଦୁଝର, ଭଦ୍ରଖ, କଟକ ଓ ଢ଼େଙ୍କାନାଳ ଆଦି ଜିଲ୍ଲାରେ ଏହାକୁ ଅଧିକ ସଘନ ଓ ବ୍ୟାପକ କରାଯାଇଛି ।ସବୁ ହସ୍ପିଟାଲ, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଆଶାକର୍ମୀ, ଅଙ୍ଗନବାଡ଼ି କେନ୍ଦ୍ର ଆଦିକୁ ପର୍ଯ୍ୟାପ୍ତ ପରିମାଣର ଓ.ଆର.ଏସ, ହାଲୋଜେନ ବଟିକା, ସାଲାଇନ, ଇଞ୍ଜେକସନ ଏବଂ ଆବଶ୍ୟକୀୟ ଔଷଧ ଇତ୍ୟାଦି ଯୋଗାଇ ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ବିଶେଷଜ୍ଞ ଟିମ୍ ମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷେତ୍ରସ୍ତରୀୟ ନିରାକରଣ ଏବଂ ପ୍ରତିଷେଧକ କାର୍ଯ୍ୟର ତଦାରଖ ପୂର୍ବକ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି । ଗତକାଲି ରାତି ସୁଦ୍ଧା ଯାଜପୁର, କେନ୍ଦୁଝର, ଢ଼େଙ୍କାନାଳ, ଭଦ୍ରଖ ଓ କଟକ ଆଦି ଜିଲ୍ଲାରୁ ସମୁଦାୟ ୪୦୦ ଡାଇରିଆ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୯୯ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରି ଥିଲେ ।
ବର୍ଷା ଋତୁ ଶେଷ ପର୍ଯ୍ୟନ୍ତ ଅଭିଯାନକୁ ପୂର୍ଣ୍ଣ ମାତ୍ରାରେ ଚାଲୁ ରଖିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମହାଲିଙ୍ଗ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଦିନେ ଡାଇରିଆ ଓ ଜଣ୍ଡିସ ପରି ଜଳବାହିତ ରୋଗର ନିରାକରଣ ନିମନ୍ତେ ବ୍ୟାପକ ସେଚେତନତା ଏବଂ ଘରକୁ ଘର ବୁଲି ପ୍ରାଥମିକ ଅବସ୍ଥାରୁ ସଂକ୍ରମଣ ଚିହ୍ନଟ ଉପରେ ଡଃ ମହାଲିଙ୍ଗ ଗୁରୁତ୍ୱ ଆରୋପ କରିଛନ୍ତି । ପାଣି ଫୁଟାଇ ପିଇବା, ବାରମ୍ବାର ସାବୁନରେ ହାତ ଧୋଇବା, ସମସ୍ତ ପାନୀୟ ଜଳଉତ୍ସ ଗୁଡିକୁ ପୁନଃପୌନିକ ଭାବେ ବିଶୋଧନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ ପରାମର୍ଶ ଦେଇଛନ୍ତି । ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ଘରକୁ ଘର ଅଭିଯାନ ଜାରି ରଖିବା ପାଇଁ ସେ ସମସ୍ତ କ୍ଷେତ୍ର ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।.
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା