କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବଳଭଦ୍ରପୁରରେ ଥିବା ଶିଳ୍ପାଞ୍ଚଳ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଶିଳ୍ପାଂଚଳକୁ ଜାଳେଣି କାଠ ଓ କାଠ ପଟା ସଂଗ୍ରହ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାର ୯ଟି ବ୍ଲକ, ଯାଜପୁର ଜିଲା ଓ କଟକ ଜିଲାରୁ ଲୋକେ ଆସିଥାନ୍ତି। ପ୍ରତିଦିନ ଶତାଧିକ ଲୋକ ଏହି ଶିଳ୍ପାଂଚଳକୁ ଆସିଥାନ୍ତି। ହେଲେ ଶିଳ୍ପାଞ୍ଚଳ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ଗାଡିମୋଟର ଚଳାଚଳ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏହାଦ୍ୱାରା ଧନଜୀବନ ହାନି ଘଟୁଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଛନ୍ତି। ଏହା ସହ ନିକଟରେ ଏହି ଅଂଚଳର ଲୋକମାନେ ଓ କରତକଳ ମାଲିକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଗୁହାରୀ କରିଛନ୍ତି ରାସ୍ତା ନିର୍ମାଣ ଓ ପାନୀୟ ଜଳ ସୁବିଧା କରିବା ପାଇଁ। ହେଲେ ଏହି ସମସ୍ୟା ସମାଧାନ ହୋଇପାରୁନାହିଁ ବୋଲି କହିଛନ୍ତି ଏକ କରତକଳର ମ୍ୟାନେଜର ଉପେନ୍ଦ୍ର ଜେନା। ସେ କହିଛନ୍ତି ପ୍ରତିଦିନ ଶତାଧିକ ଲୋକ ଏହି ଶିଳ୍ପାଞ୍ଚଳକୁ ଯିବା ଆସିବା କରୁଛନ୍ତି। ଏହାସହ ପ୍ରତିଦିନ ଶତାଧିକ ଶ୍ରମିକ ମଧ୍ୟ କାମ କରିବା ପାଇଁ ଏହି ଶିଳ୍ପାଞ୍ଚଳକୁ ଆସୁଛନ୍ତି। ହେଲେ ସେମାନଙ୍କ ପିିଇବା ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ। ତେଣୁ ପାଣି ଟୋପେ ପିଇବା ପାଇଁ ଶ୍ରମିକମାନେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି। ଏହି ଶିଳ୍ପାଂଚଳରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ପାନୀୟ ଜଳ ସହ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି