ପୁରୀ, ୨୦ ଜୁନ୍ (ହି.ସ.)- ଅଣସର ଗୃହରେ ଶୁକ୍ରବାର ଶ୍ରୀଜୀଉଙ୍କ ଚକାବିଜେ ନୀତି ସମ୍ପନ୍ନ ହୋଇଛି । ବଡ ଠାକୁର ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିଛନ୍ତି । ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିଛନ୍ତି ।
ପବିତ୍ର ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ସମ୍ପ୍ରତି ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତି ଓ ପତି ମହାପାତ୍ର ଶ୍ରୀଜୀଉଙ୍କ ଏହି ଗୁପ୍ତ ସେବା ସମ୍ପାଦନ କରୁଛନ୍ତି । ପରମ୍ପରା ଅନୁଯାୟୀ, ପଂଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି ହୋଇଥିଲା । ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥିଲା । ଦଶମୀ ତିଥିରେ ଶ୍ରୀବିଗ୍ରହମାନେ ସାମାନ୍ୟ ସୁସ୍ଥ ଅନୁଭବ କରିଥିବାରୁ ଚକାବିଜେ ନୀତି ଅନୁଷ୍ଠିତ ହୋଇଛି । ଦଇତାପତି ସେବକ ମାନେ ଶ୍ରୀବିଗ୍ରହ ମାନଙ୍କୁ ଅଣସର ପିଣ୍ଡିରୁ ଚକାକୁ ବିଜେ କରାଇଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାର ଦଶମୀ ତିଥିରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀବିଗ୍ରହଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ପଠାଯାଇଛି । ଏହି ଦଶମୂଳ ମୋଦକ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ