ତିନି ରଥରେ ଝଲସୁଛି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ନାୟକ ପରିବାରଙ୍କ ହାତତିଆରି ସୋଲଫୁଲ
ଖୋର୍ଦ୍ଧା, ୨୬ ଜୁନ୍ (ହି.ସ.)- ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ରଥ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଅନ୍ୟପଟେ ତିନି ରଥରେ ଝଲସୁଛି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର
ଫୁଲ


ସୋଲ ଫୁଲ


ଖୋର୍ଦ୍ଧା, ୨୬ ଜୁନ୍ (ହି.ସ.)- ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ରଥ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଅନ୍ୟପଟେ ତିନି ରଥରେ ଝଲସୁଛି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋର ଓ ବୀରକିଶୋର ନାୟକ ପରିବାରଙ୍କ ହାତତିଆରି ସୋଲଫୁଲ। ଏଥିଲାଗି ଦିନରାତି ଲାଗିପଡ଼ିଛନ୍ତି ଏହି ପରିବାର। ନେତ୍ରୋତ୍ସବ ଦିନ ସିଂହଦ୍ୱାରରେ ତିନିରଥ ଲାଗିବା ପରେ ଏହି ପରିବାର ଦ୍ୱାରା ସୋଲରେ ପ୍ରସ୍ତୁତ କଦମ୍ବ, ସୂର୍ଯ୍ୟମୁଖୀ, ସେବତି ଆଦି ବିଭିନ୍ନ କିସମର ଫୁଲରେ ସଜ୍ଜିତ କରୁଛନ୍ତି ତିନି ରଥ। ବିଗତ ୨୨ ବର୍ଷ ଧରି ବିନା ପାରିଶ୍ରମିକରେ ସେବା ଯୋଗାଇ ଆସୁଛି ଏହି ପରିବାର। ମହାପ୍ରଭୁଙ୍କ ସେବାରେ ପାରିଶ୍ରମିକର କୌଣସି ମୂଲ୍ୟ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏନେଇ ରାଜକିଶୋର କୁହନ୍ତି, ୧୯୯୯ ମସିହାରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ଲାଗି ଭାଇମାନେ ମିଶି ଯାଇଥିଲୁ। ରଥାଋଢ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ସମୟରେ ଭାବବିହ୍ବଳ ହୋଇ ରଥରେ ସେବା ସୁଯୋଗ ଦେବା ଲାଗି ନିବେଦନ କରିଥିଲୁ। ସୋଲ କାରିଗର ହୋଇଥିବାରୁ ରଥ ଚତୁଃପାର୍ଶ୍ୱକୁ ସୋଲରେ ନିର୍ମିତ ଫୁଲରେ ସାଜସଜ୍ଜା ଲାଗି ମହାପ୍ରଭୁଙ୍କୁ ଗୁହାରି ଜଣାଇଥିଲୁ। ମହାପ୍ରଭୁଙ୍କ ସ୍ବପ୍ନାଦେଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲୁ। ଶ୍ରୀମନ୍ଦିର ପ୍ରଶାସନ ସୋଲ ଫୁଲ ଲାଗି ଅନୁମତି ପ୍ରଦାନ କରିଥିଲେ। ଏହା ମହାପ୍ରଭୁଙ୍କ ଆଶୀର୍ବାଦ ଭାବି କିଛି ଫୁଲ ପ୍ରସ୍ତୁତ କରି ଶ୍ରୀମନ୍ଦିର

କାର୍ଯ୍ୟାଳୟରେ ଅର୍ପଣ କରିଥିଲୁ। ସୋଲଫୁଲ ଦେଖି ଖୁସି ହୋଇଥିଲେ। ୨୦୦୪ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପରିଚାଳକ ରଥରେ ସୋଲଫୁଲ ସଜ୍ଜାଇବା ପାଇଁ ଅନୁମତିପତ୍ର ପ୍ରଦାନ କରିଥିଲେ। ସେବେଠାରୁ ଏହି ସେବା ଜାରି ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପାରିଶ୍ରମିକ ମିଳି ନ ଥାଏ। ତେବେ ମହାପ୍ରଭୁଙ୍କ ସେବାରେ ପାରିଶ୍ରମିକର କୌଣସି ମୂଲ୍ୟ ନ ଥାଏ ବୋଲି ରାଜକିଶୋର କହିଛନ୍ତି।

ବୀରକିଶୋର କୁହନ୍ତି, କାର୍ତ୍ତିକ ମାସଠାରୁ କାକଟପୁର, ଅସ୍ତରଙ୍ଗ, ନିମାପଡା ଆଦି ସ୍ଥାନରୁ ସୋଲ ସଂଗ୍ରହ କରାଯାଏ। ପରେ ଏହାକୁ ଖରାରେ ଶୁଖାଇ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେବା ପରେ ପରିବାର ସଦସ୍ୟ ଶୁଦ୍ଧପୁତ ଭାବେ ମହାପ୍ରଭୁଙ୍କ ଆରାଧନା କରି କାର୍ଯ୍ୟ ଆରମ୍ଭ କରନ୍ତି। ଫୁଲ ପ୍ରସ୍ତୁତ ଲାଗି ସୋଲକୁ ବିଭିନ୍ନ ସାଇଜରେ କଟାଯାଏ। ଚୁମୁକି, ସୂତା ଏବଂ ବଡ଼ ଛୁଞ୍ଚି ବ୍ୟବହାର କରାଯାଇ ଫୁଲକୁ ଆକାର ଦିଆଯାଏ। ଏଥିରେ ପରିବାରର ମହିଳାମାନେ ସହଯୋଗ କରିଥାନ୍ତି। ସେହିପରି କବିତା ନାୟକ କୁହନ୍ତି, ଘର ଲିପାପୋଛା ସହ ଅରୁଆ ଅନ୍ନ ଖାଇ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ନୀତି ନିୟମରେ କାର୍ଯ୍ୟ କରାଯାଇଥାଏ। ଘର କାମ ସରିବା ପରେ ଏହି କାମରେ ଲାଗିଥାନ୍ତି ପରିବାର। ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ। ପ୍ରତିବର୍ଷ ମହାପ୍ରଭୁଙ୍କ ତିନି ରଥରେ ସୋଲରେ ନିର୍ମିତ ଫୁଲ ଖଞ୍ଜିବା ବେଳେ ଏକ ଅପୂର୍ବ ଆନନ୍ଦ ମିଳିଥାଏ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande