ଜୟପୁର, ୧୦ ଜୁଲାଇ (ହି.ସ.)- ବର୍ଷା ଦିନ ଜାରି ରହିଥିବା ବେଳେ ଝାଡାବାନ୍ତି ବ୍ୟାପିବା ଆଶଙ୍କା ରହିଛି । କୋରାପୁଟ ଜିଲା ସହ ଜୟପୁର ସହରରେ ଓ ବ୍ଲକରେ ସ୍ଥାଣୁ ସାଜିଛି ଖାଦ୍ୟ ସୁରକ୍ଷା ବିଭାଗ । ନା ହେଉଛି ଖାଦ୍ୟର ମାନ ଯାଞ୍ଚ ନା ହେଉଛି କୌଣସି କାର୍ଯ୍ୟାନୁଷ୍ଠାନ । ବିଭାଗୀୟ ଅଧିକାରୀ ନିଜ ଆଡୁ କୌଣସି ଯାଞ୍ଚ କିମ୍ବା ପଦକ୍ଷେପ ନେଉନଥିବା ବେଳେ ତାଙ୍କ ଦୃଷ୍ଟି ଆକର୍ଷଣ କଲେ ଲିଖିତ ଅଭିଯୋଗ ଖୋଜୁଥିବା ଅଭିଯୋଗ ହୋଇଛି । ଏମିତିରେ ସ୍ଥାଣୁ ସାଜିଥିବା ଖାଦ୍ୟ ସୁରକ୍ଷା ବିଭାଗ ଯୋଗୁ ସହରରେ ଉଭୟ ଖାଦ୍ୟ ଓ ପାଣି କେତେବେଳେ ବିଷ ପାଲଟିବ ତାହା କହିହେବ ନାହିଁ । ଗତ କିଛି ବର୍ଷ ଭିତରେ ସହରରେ ଅନେକ ସ୍ଥାନରେ ଖାଇବା ପାଇଁ ଠେଲା ଠାରୁ ଆରମ୍ଭ କରି ବଡ ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି । ସେହିପରି ପାନୀୟ ଜଳ ପାଇଁ ପାଣି ପାଉଚ ଠାରୁ ଆରମ୍ଭ କରି ଥଣ୍ଡା ପାଣି କେନ ପର୍ଯ୍ୟନ୍ତ ବ୍ୟବସାୟ କରାଯାଉଛି । କିନ୍ତୁ, ଏହି ସବୁ ଜିନିଷର ମାନ କେତେ ଠିକ, ଲୋକେ ପିଉଥିବା ପାଣି ଓ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନ । କୋରାପୁଟ, କୋଟପାଡ଼, ସେମିଳିଗୁଡା, ଜୟପୁର ସହର, ବୋରିଗୁମ୍ମାରେ ଗଳି କନ୍ଦିରେ ଛତୁ ଫୁଟିବା ଭଳି ଖୋଲିଛି ହୋଟେଲ, ରେଷ୍ଟୁରାଣ୍ଟ, ଠେଲା । ଯେଉଁଠି ଟିଫିନ ଠାରୁ ଆରମ୍ଭ କରି ମିଲ ପର୍ଯ୍ୟନ୍ତ ବିକ୍ରୟ କରାଯାଉଛି । ତେବେ ଏହି ସବୁ ଖାଦ୍ୟ ଲୋକଙ୍କ ପାଇଁ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ଅନୁସାରେ, ହୋଟେଲ, ଠେଲା, ଫାଷ୍ଟଫୁଡ ସେଣ୍ଟର ମାନଙ୍କରେ ଖାଦ୍ୟ ପ୍ରସ୍ତୁତି ନିମନ୍ତେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି । ଖାଇବା ତେଲ, ସସ, ମସଲା ପ୍ରାୟ ସବୁତକ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ବେଳେ ଖାଦ୍ୟକୁ ମନଲୋଭା ଓ ସୁଆଦିଆ କରିବା ପାଇଁ କୃତ୍ରିମ ରାସାୟନ ମିଶା ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହଁ ଏହି ସବୁ ଖାଦ୍ୟ ପସରା ମାନଙ୍କରେ ବାସି ଖାଦ୍ୟ ମଧ୍ୟ ପରସା ଯାଉଥିବା ଅଭିଯୋଗ ହୋଇଛି । ଦିନ ଦିନ ଧରି ଫ୍ରିଜରେ ଖାଦ୍ୟ ସାମଗ୍ରୀ ରଖି ତାକୁ ପୁଣିଥରେ ରୋଷେଇ କରି ଗ୍ରାହକଙ୍କୁ ଖାଇବାକୁ ଦିଆଯାଉଛି । ପ୍ରତିବାଦ କଲେ ହୋଟେଲ, ରେଷ୍ଟୁରାଣ୍ଟ ମାଲିକମାନେ ନାଲିଆଖି ଦେଖାଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ବିକ୍ରୀ ହେଉଥିବା ଖାଦ୍ୟର ମାନ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ଖାଦ୍ୟ ସୁରକ୍ଷା ବିଭାଗର ହୋଇଥିବା ବେଳେ ବିଭାଗ ନିରବ ରହିଥିବା ଜଣାଯାଇଛି । ବେକେରୀ, ଜୁସ ଦୋକାନ, ମୃଦୁ ପାନୀୟ ଦୋକାନମାନଙ୍କରେ ମଧ୍ୟ ସମାନ ଭାବେ ନିକୃଷ୍ଟ ମାନର ସାମଗ୍ରୀ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି । ବେକେରୀ ମାନଙ୍କରେ କେକ ବିସ୍କୁଟ, ପାଉଁରୁଟି କିଭଳି ପ୍ରସ୍ତୁତ ହୋଇଛି ତାହା ମଧ୍ୟ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯିବା କଥା କିନ୍ତୁ ଯାଞ୍ଚ ହେଉନଥିବା ଅଭିଯୋଗ ହୋଇଛି । ଖାଦ୍ୟ ସାମଗ୍ରୀ ଭଳି ପାଣିର ଅବସ୍ଥା ମଧ୍ୟ ସମାନ । ବଜାରରେ ମିଳୁଥିବା ପାଣି ପାଉଚ, ପାଣି ବୋତଲ ଓ ଥଣ୍ଡା ପାଣି କେନ ର ପାଣି କେତେ ଶୁଦ୍ଧ ତାହାବି କହି ହେବ ନାହିଁ । ଛତୁ ଫୁଟିଲା ଭଳି ପାଣି ଦୋକାନ ଆରମ୍ଭ ହୋଇଥିବା ବେଳେ ଯିଏ ଯେମିତି ପାଣି ଭରି ଆରଓ ଜଳ ନାମରେ ବ୍ୟବସାୟ ଚଳାଇଥିବା ବେଳେ ପ୍ରଶାସନ ନିରବ ରହିଛି । ତେଣୁ କୋରାପୁଟ ଜିଲାରେ ଚଢଉକୁ ଜୋରସୋର କରିକାବୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି