ନୂଆଦିଲ୍ଲୀ, 14 ଜୁଲାଇ (ହି.ସ.)-କଂଗ୍ରେସ
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଫକିର ମୋହନ କଲେଜର ବିଏଡ୍ ଛାତ୍ରୀଙ୍କ ଆତ୍ମଦାହ ଘଟଣାକୁ ନେଇ
ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛି। କଂଗ୍ରେସ୍ ମୁଖପାତ୍ର ଅଳକା ଲାମ୍ବା ସୋମବାର ଦିନ
ପାର୍ଟି ମୁଖ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ଭାଜପା ଶାସିତ
ଓଡ଼ିଶାରେ ଝିଅମାନେ ସୁରକ୍ଷିତ ନୁହଁନ୍ତି ବୋଲି ସୂଚିତ କରିଛନ୍ତି। ଲାମ୍ବା କହିଛନ୍ତି ଯେ
ପୀଡିତ ଛାତ୍ରୀ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ଜଣେ ପଦାଧିକାରୀ । ତାଙ୍କୁ
କଲେଜର ବିଏଡ୍ ବିଭାଗର ଅଧ୍ୟକ୍ଷ ସମୀର କୁମାର ସାହୁ ଲାଗାତାର ଯୌନ ଉତ୍ପୀଡନ ପାଇଁ ଚାପ
ପକାଉଥିଲେ । ଦାବି ନମାନିଲେ ଛାତ୍ରୀଙ୍କୁ ଗୁରୁତର ପରିଣାମ ଭୋଗିବାକୁ ପଡିବ ବୋଲି ସେ ଧମକ
ଦେଇଥିଲେ।
ସେ କହିଛନ୍ତି ଯେ, ଛାତ୍ରୀ
ଜୁନ 30ରେ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କ ନିକଟରେ ଏହାର ଅଭିଯୋଗ କରିଥିଲେ ଏବଂ ଜୁଲାଇ
1ରେ ସ୍ଥାନୀୟ ବିଜେପି ସାଂସଦ ଓ ମୁଖ୍ୟମନ୍ତ୍ରୀ ଏବଂ ବିଭାଗକୁ ସୂଚିତ କରିଥିଲେ । ତେବେ ବିଭାଗ
ଛାତ୍ରୀକୁ ଧମକ ଦେଇଥିଲା ଯେ, ଯଦି ସେ ଅଭିଯୋଗ ସାବ୍ୟସ୍ତ କରିପାରିବେନି ତେବେ ତାଙ୍କ
ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଲାମ୍ବା ଅଭିଯୋଗ କରିଛନ୍ତି
ଯେ ତଦନ୍ତ କମିଟି ୧୦ ଦିନ ପର୍ଯ୍ୟନ୍ତ ସମୀର ସାହୁଙ୍କୁ ପଚାରିବା ପରିବର୍ତ୍ତେ ଛାତ୍ରୀଙ୍କୁ ପଚାରାଉଚରା
କରିଥିଲେ,
ଯାହା ଫଳରେ ସେ ମାନସିକ ଭାବେ ଅତ୍ୟାଚାରିତ ହୋଇଯାଇଥିଲେ। ନ୍ୟାୟ
ମିଳିବା ଆଶା ଭଙ୍ଗ ହେବା ପରେ ଛାତ୍ରୀ ୧୧ ଦିନ ପରେ ଧରଣାରେ ବସିଥିଲେ ଏବଂ ପରେ କଲେଜ
କ୍ୟାମ୍ପସ୍ରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ୯୫ ପ୍ରତିଶତ ପୋଡି ଯାଇଥିବା ଛାତ୍ରୀ
ବର୍ତ୍ତମାନ ଭୁବନେଶ୍ୱରର ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚିକିତ୍ସାଧୀନ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା