ଡେରାଡୁନ, ୩୧ ଅଗଷ୍ଟ (ହି.ସ.) - ଉତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଧାରଚୁଲା ବ୍ଲକ ଆଇଲାଗଡ଼ରେ ନିର୍ମାଣଧିନ ଭୂତଳ ଏନଏଚପିସି ପାୱାର ହାଉସର ସୁଡ଼ଙ୍ଗ ମୁହଁରେ ଭୂସ୍ଖଳନ ଭଗ୍ନାବଶେଷ ଯୋଗୁଁ ୧୯ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫସି ରହିଥିଲେ । ଏମାନଙ୍କ ମଧ୍ୟରୁ ୮ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୧୧ ଜଣ ଶ୍ରମିକ ଏବେ ବି ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ବାହାର କରାଯିବ ବୋଲି କୁହାଯାଇଛି । ପିଥୋରାଗଡ଼ ଜିଲ୍ଲା ମାଜିଷ୍ଟ୍ରେଟ୍ ବିନୋଦ ଗୋସ୍ୱାମୀ କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ସୁଡ଼ଙ୍ଗର ମୁହଁରେ ହଠାତ୍ ଭୂସ୍ଖଳନ ହୋଇଥିଲା ଏବଂ ପ୍ରବଳ ଭଗ୍ନାବଶେଷ ଏବଂ ପଥର ଯୋଗୁଁ ସୁଡ଼ଙ୍ଗ ପଥ ଅବରୋଧ ହୋଇଯାଇଥିଲା । ସେଥିଯୋଗୁଁ ଏହି ଟନେଲରେ ୧୯ ଜଣ ଶ୍ରମିକ ଫସି ରହିଥିଲେ । ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ବିଆରଓ ର ଯବାନ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ସୁଡ଼ଙ୍ଗ ମୁହଁରୁ ଭଗ୍ନାବଶେଷ ହଟାଇ ଦିଆଯାଇଛି ଏବଂ ଜରୁରୀକାଳୀନ ସାଫ୍ଟ ଅଂଚଳକୁ ମଧ୍ୟ ନିରନ୍ତର ସଫା କରାଯାଉଛି । ସେ ସୂଚନା ଦେଇଛନ୍ତି ଯେ, ଏ ପର୍ଯ୍ୟନ୍ତ ଆଠ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି ଏବଂ ବାକି ୧୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ଯୁଦ୍ଧାଳୀନ ଭିତିରେ ପ୍ରୟାସ କରାଯାଉଛି । ପ୍ରଶାସନ ଏହି ଶ୍ରମିକମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । ଜିଲ୍ଲା ପ୍ରଶାସନ, ବିଆରଓ, ଏନଏପିସି, ଏନଡିଆରଏଫ, ସିଆଇଏସଏଫ ଏବଂ ଅନ୍ୟାନ୍ୟ ଉଦ୍ଧାର ଦଳ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଧାରଚୁଲା ଉପ-ଜିଲ୍ଲାପାଳ ଜିତେନ୍ଦ୍ର ବର୍ମା କହିଛନ୍ତି ଯେ, ଧୌଳିଗଂଗା ବିଦ୍ୟୁତ କେନ୍ଦ୍ରର ସୁଡ଼ଙ୍ଗର ମୁଖ୍ୟ ପ୍ରବେଶ ଦ୍ୱାରରେ ବାରମ୍ବାର ଆସୁଥିବା ଆବର୍ଜନାକୁ ସଡ଼କ ସୁରକ୍ଷା ସଂଗଠନ ମାଧ୍ୟମରେ ନିରନ୍ତର ଅପସାରଣ କରାଯାଉଛି । ଘଟଣାସ୍ଥଳରେ ପର୍ଯ୍ୟାପ୍ତ ଯନ୍ତ୍ରପାତି ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ସୁଡ଼ଙ୍ଗ ଭିତରେ ରୋଷେଇ ଏବଂ ଖାଦ୍ୟ ବ୍ୟବସ୍ଥା ପୂର୍ବରୁ ଉପଲବ୍ଧ ଅଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ