କନ୍ଧମାଳ, ୧୮ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାରେ ପ୍ରତି ବ୍ଲକରେ ଆଦି ସେନା କେନ୍ଦ୍ର ଶୁଭ ଉଦ୍ଘାଟିତ ହୋଇଯାଇଛି। ବିଧାୟକ ଫୁଲବାଣୀ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିରିଙ୍ଗିଆ ବ୍ଲକଠାରେ ଆଦି ସେବା କେନ୍ଦ୍ର ଶୁଭ ଉଦ୍ଘାଟନ କରିଛନ୍ତି। ସେହିପରି ଜିଲ୍ଲାର ଅନ୍ୟ ସେବା କେନ୍ଦ୍ର ଗୁଡ଼ିକ ମଧ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି।
ଆଦି କର୍ମଯୋଗୀ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମଗୁଡିକରେ ଆଦି କର୍ମଯୋଗୀ ଚୟନ କରାଯାଇ ସରକାରଙ୍କ ଯୋଜନା ଗୁଡିକ ଗ୍ରାମସ୍ତରରେ ସମସ୍ତ ବିଭାଗର ସହଭାଗିତା ଆଧାରରେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବେ। ଏହା ସହିତ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ପରିକଳ୍ପନା ପାତ୍ର ପ୍ରସ୍ତୁତ କରିବେ। ଏଥିପାଇଁ ଜିଲ୍ଲାର ୧୨ ଗୋଟି ବ୍ଲକରେ ୩୯୫ ଗୋଟି ଗ୍ରାମରେ ଆଦି ସେବା କେନ୍ଦ୍ର ଖୋଲା ଯାଇଛି। ପ୍ରତି ଗ୍ରାମରୁ ୨୦ ଜଣେ ଆଦି କର୍ମଯୋଗୀ ଚୟନ କରାଯାଇଛି।
ସେମାନେ ସେବା କେନ୍ଦ୍ରରେ ବସି ନିଜ ଗ୍ରାମର ପରିକଳ୍ପନା ପାତ୍ର ସେପ୍ଟେମ୍ବର ୧୭ ତାରିଖ ଠାରୁ ସେପ୍ଟେମ୍ବର ୩୦ ତାରିଖରେ ଶେଷ କରିବେ ଏବଂ ଏହି ପାତ୍ର ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ ସଭାରେ ପାରିତ ହେବ। ଏଥି ସହିତ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ତତ୍ତ୍ଵାବଧାନରେ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଜିଲ୍ଲା ନୋଡାଲ ଅଧିକାରୀ ଭାବେ ଏହି ଯୋଜନାକୁ ପରିଚାଳନା କରୁଥିବା ବେଳେ ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଏହି ଦାୟିତ୍ଵ ତୁଲାଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ପରିକଳ୍ପନା ପତ୍ର ତିଆରି କରି ବିକାଶର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚି ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଆଦି କର୍ମଯୋଗୀ ଅଭିଯାନ କାମ କରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ