ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ଚାଷୀଙ୍କ ଆବଶ୍ୟକ ମୁତାବକ ୟୁରିଆ ସହିତ ଅନ୍ୟାନ୍ୟ ସାର ଯୋଗାଣ, କଳାବଜାରୀ ରୋକିବା, ପ୍ରତି ପ୍ୟାକ୍ସ ଓ ଲ୍ୟାମ୍ପ୍ସରେ ସ୍ୱତନ୍ତ୍ର ଭାବେ ସାର ଗୋଦାମ ନିର୍ମାଣ, କେନ୍ଦୁଝରର ହରିଚନ୍ଦନପୁର ଏବଂ ଅନୁଗୋଳର କେରଜଙ୍ଗଠାରେ ରେଲୱେ ର୍ୟାକ ପଏଂଟ ପ୍ରତିଷ୍ଠା ପାଇଁ ଗୁରୁବାର ଓଡ଼ିଶାର ବରେଣ୍ୟ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ କିଷାନ କଂଗ୍ରେସ ପକ୍ଷରୁ ଅଖିଳ ଭାରକ କିଷାନ କଂଗ୍େରସ ରାଷ୍ଟ୍ରୀୟ ସଂଯୋଜକ ତଥା ପିସିସି କିଷାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ରାଜଭବନଠାରେ ସାକ୍ଷାତ ଆଲୋଚନା କରି ଓଡ଼ିଶା ସରକାରଙ୍କୁ ଏହି ଦିଗରେ ଆଶୁ ପଦକ୍ଷେପ ଗ୍ରହଣ ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଚଳିତ ବର୍ଷ ଖରିଫ୍ ସମୟରେ ଆଗୁଆ ମୌସୁମୀ, ରୁଆ ବେଉଷଣରେ ଅଗ୍ରଗତି, ଚାଷୀ ଧାନଚାଷ ପ୍ରତି ଅଧିକ ଆଗ୍ରହୀ ଥିବା ସ୍ଥଳେ ସରକାର ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦେଇ ପାରୁନାହାନ୍ତି। ସାର କଳାବଜାରୀ ବ୍ୟାପକ ଭାବେ ବଢ଼ିଚାଲିଛି। ରୋକ୍ ଲଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ। ବିଶେଷ କରି ଖରିଫ୍ ଧାନ ଅଧିକ ଅମଳ ହେଲେ ସରକାରଙ୍କୁ ଅଧିକ ବୋନସ୍ ଦେବାକୁ ପଡ଼ିବ ବୋଲି ଜାଣିଶୁଣି ସାର ଯୋଗାଣରେ ଏଭଳି ଷଡ଼ଯନ୍ତ୍ର କରାଯାଉଛି। ଗତ ବର୍ଷର ବଳକା ସାରକୁ ଚଳିତ ବର୍ଷର ଲକ୍ଷ୍ୟଧାର୍ଯ୍ୟ ସାର ସହିତ ମିଶ୍ରଣ କରିବା ନିଅଂଟିଆ ହେବାର ଅନ୍ୟଏକ ପ୍ରମୁଖ କାରଣ ବୋଲି ଅଖିଳ ଭାରତ କିଷାନ
କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ କହିଛନ୍ତି। ଚାଷୀଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା ପ୍ରଦେଶ
କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସରକାର ତୁରନ୍ତ ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ଓ କଳାବଜାରୀକୁ ରୋକିବା ପାଇଁ ଗଣମାଧ୍ୟମରେ ସୂଚନା ଦେବା ସହ ବାରମ୍ବାର ଦାବୀ କରୁଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନିଧି ମଣ୍ଡଳୀରେ କିଷାନ କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ଧ୍ରୁବ ଚରଣ ପରିଡ଼ା, ଦାଶରଥି ସାହୁ, ସଦାନନ୍ଦ ଓଝା, ସୁଧିର କୁମାର ବେହେରା, ପ୍ରମୋଦ କୁମାର ବେହେରା, ସୁବାଷ ଚନ୍ଦ୍ର ବାରିକ, ରଘୁନାଥ ଦୀକ୍ଷିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା