ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଉଦ୍ୟାନ ସାଥୀ ସଂଘ ତରଫରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଉଦ୍ୟାନ ସାଥୀ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘର ସଭାପତି ଜ୍ଞାନଚାନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ବିଜୟ ଜେନା ତାଙ୍କ ବକ୍ତବ୍ୟରେ ଚଳିତବର୍ଷ ଅର୍ଥାତ୍ ୨୦୨୫-୨୦୨୬ ଆର୍ଥିକ ବର୍ଷରେ ଉକ୍ତ କାର୍ଯ୍ୟ ପାଇଁ ଅନୁଦାନ ବନ୍ଦ ଫଳରେ ବିଭିନ୍ନ ପ୍ରକଳ୍ପରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ଏଥିରେ କାର୍ଯ୍ୟରତ ଉଦ୍ୟାନ ସାଥୀ ଓ ଦୈନିକ କାର୍ଯ୍ୟ କରୁଥିବା ଶ୍ରମିକମାନେ କାମ ହରାଇଛନ୍ତି। ତୁରନ୍ତ ବଜେଟ ପ୍ରଦାନ କରି ଉଦ୍ୟାନ ସାଥୀଙ୍କୁ କାମ ଯୋଗାଇ ଦେବାକୁ ଦାବି କରିଥିଲେ।
ଉଦ୍ୟାନ ସାଥୀଙ୍କ ବିଭିନ୍ନ ଦାବି ଯଥା ୨୦୧୨ ମସିହାରୁ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗରେ ଚାଲୁଥିବା ପ୍ରାୟ ସମସ୍ତ ଯୋଜନା ପାଇଁ କାର୍ଯ୍ୟ କରି ଆସୁଥିଲେ। ଚଳିତ ବର୍ଷ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ସରକାର ଉଦ୍ୟମ କରିଥିଲେ ଏବଂ ଚଳିତ ବର୍ଷ କୋଡିଏ ହଜାର ଏକର ଜମିରେ ଫଳ ଚାଷ କରି ପ୍ରାୟ ଏକ କୋଟି ବୃକ୍ଷ ରୋପଣ ପାଇଁ ଯୋଜନା କରିଥିଲେ ମଧ୍ୟ ତାହାକୁ ବାତିଲ୍ କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବୃକ୍ଷରୋପଣ ନାଁରେ ଶସ୍ତା ସ୍ଲୋଗାନ ଦେଇ ଉଦ୍ୟାନ ସାଥୀ ଓ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଭୋକିଲା ପେଟରେ ଛାଡିଦେଇଛନ୍ତି।
ଏହି ସଭାରେ ଏଆଇଟିୟୁସି ନେତା ସୁର ଜେନା, ସଂଘର ସାଧାରଣ ସମ୍ପାଦକ ବିରଜା ମହାକୁଡ଼, ଉଦୟ ସାହୁ, ପଙ୍କଜ ପଣ୍ଡା, ବିଷ୍ଣୁଚରଣ ଦାସ, ଦିବାକର ମୁଦୁଲି, ହୃଦାନନ୍ଦ ମେହେର, ସୁଶୀଲ ପଟ୍ଟନାୟକ, ସୁଧାକର ପ୍ରଧାନ, ସୁଶାନ୍ତ ବଳିୟାରସିଂହ, ବିଷ୍ଣୁପଦ ଜେନା ପ୍ରମୁଖ ବକ୍ତବ୍ୟ ଦେଇ ଉଦ୍ୟାନ ସାଥୀଙ୍କ ନ୍ୟାୟୋଚିତ ଦାବି ମାନିନେବାକୁ ଦାବି କରିଥିଲେ। ପରେ ଏକ ପ୍ରତିନିଧିମଣ୍ଡଳି ବିଜୟ ଜେନାଙ୍କ ନେତୃତ୍ୱରେ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା