ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ସହରର ବାଇପାସ ଠାରେ ଜାରି ରହିଥିବା ଉଚ୍ଛେଦ ସମୟରେ ପୌରାଧ୍ୟକ୍ଷାଙ୍କୁ ପୁଲିସ୍ ପ୍ରଶାସନ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲା ପ୍ରଶାସନକୁ ଦିଆଯାଇଛି। ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱରେ ପୌରାଧ୍ୟକ୍ଷା ଓ ଦଳର ବହୁ କର୍ମୀମାନେ ଟାଉନ୍ ହଲ ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଦଳ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁଙ୍କୁ ଦେଇଥିଲେ। ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ ବାଇପାସ ଛକ ଠାରୁ ସରକାର ନଗର ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଉତେଜନା ସୃଷ୍ଟି ହୋଇଥିଲା। ଏହି ପରିସ୍ଥିତିରେ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ତହସିଲଦାର ସଂଗ୍ରାମ କେଶରୀ ଖୁଂଟିଆ ଏବଂ କିଛି ମହିଳା ପୁଲିସ୍ କର୍ମଚାରୀଙ୍କ ଦ୍ୱାରା ଦୁର୍ବ୍ୟବହାରର ଶୀକାର ହୋଇଥିଲେ। ଏହା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ। ଗଣତନ୍ତ୍ରରେ ଜନ ପ୍ରତିନିଧିଙ୍କୁ ଅପମାନିତ କରିବା ମାନେ ଭୋଟ ଦେଇ ପଠାଇଥିବା ସମଗ୍ର ଭଦ୍ରକବାସୀଙ୍କ ଆତ୍ମ ମର୍ଯ୍ୟାଦାର ହାନି ଘଟିଛି। ଦଳର ଦାବି ଗୁଡିକ ହେଲା ଭଦ୍ରକ ପୌରାଧ୍ୟକ୍ଷାଙ୍କୁ ଅପମାନିତ କରିଥିବା ତହସିଲଦାର ଓ ସଂପୃକ୍ତ ପୁଲିସ୍ କର୍ମଚାରୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାରୀ ଜମିକୁ ଭଦ୍ରକ ପୌରପାଳିକାକୁ ହସ୍ତାନ୍ତର କରାଯିବା ଭଳି ଦାବି ରହିଛି। ଏହାବ୍ୟତୀତ ଯେଉଁଠି ସରକାରୀ ଜମି ପଡିଛି, ସେଠାରେ ଏକ ଆଧୁନିକ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ କରାଯାଇ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ଯେଉଁମାନେ ଘର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ହେବେ, ସେମାନଙ୍କୁ ସରକାର ଅନ୍ୟ ସରକାରୀ ଜମିରେ ପୁନଃ ଥଇଥାନ କରିବା ପାଇଁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ସେହିପରି ଭବିଷ୍ୟତରେ କୌଣସି ଉଚ୍ଛେଦ ଅଭିଯାନ ପୂର୍ବରୁ ସୁସମ୍ବନ୍ଧିତ ବିଭାଗ ପୌରପାଳିକା ଓ ଜନପ୍ରତିନିଧିଙ୍କ ସହ ସଂପୃକ୍ତ ଆଲୋଚନା କରାଯିବା ପାଇଁ ସମ୍ବେଦନଶୀଳତା ସହ ବିଚାର କରିବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, କାଉନ୍ସିଲର ଦିଲୀପ ନାୟକ, କାଉନ୍ସିଲର ସହିଦ ଖାନ୍, ଜାହିଦ ହବିବ, ନାସର ଅଲ୍ଲୀ, ପୂର୍ବତନ କାଉନ୍ସିଲର ଟିକି ବଳ, ଅଂଜନ ଜେନାଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ