ଖୋର୍ଦ୍ଧା,, 18 ସେପ୍ଟେମ୍ବର (ହି.ସ.) ବୋଲଗଡ଼ ଥାନା ଅଞ୍ଚଳରେ ନଡ଼ିଆ ଗଛରେ ଚଢିଥିବା ବେଳେ ବିଦ୍ୟୁତ୍ ତାର ଲାଗି ଜଣେ ଯୁବକ ମୃତ ହୋଇଛି। ମୃତକ ହେଲେ ଖଙ୍ଗୁରିଆ ଗ୍ରାମର ଜଗୁ ପରିଡା।ସୂଚନା ମୁତାବକ ବୋଲଗଡ଼ ନେଳିଆ ପୋଖରୀ ନିକଟରେ ଥିବା ନଡ଼ିଆ ଗଛରୁ ଗୁରୁବାର ନଡ଼ିଆ ତୋଳୁଥିବା ବେଳେ ନିକଟରେ ଯାଇଥିବା ୩୩କେ ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଖଙ୍ଗୁରିଆ ଗ୍ରାମର ଜଗୁ ପରିଡାଙ୍କ ମୃତ୍ୟୁ ହୋଇଛି। ତେବେ ଖବର ପାଇବା ପରେ ଖଙ୍ଗୁରିଆ ଗ୍ରାମବାସୀ ବୋଲଗଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ନଡ଼ିଆ ଗଛରେ ଲଟକି ରହିଥିବା ମୃତ ଶରୀରକୁ ଉଦ୍ଧାର କରୁଥିବା ସମୟରେ ଅସାବଧାନତା ହେତୁ ଶବଟି ତଳକୁ ଖସି ପଡିଥିଲା।ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ଅଗ୍ନିଶମ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହାକୁ ନେଇ ଉତେଜନା ତୀବ୍ର ହୋଇଥିବା ବେଳେ ସ୍ଥାନୀୟ ଅଂଚଳର ଜଣେ ସାମ୍ବାଦିକ ନିଜ ସ୍କୁଟିରେ ଉକ୍ତ ଶବକୁ ମେଡିକାଲକୁ ବୋହି ନେଇଥିଲେ । ସେହିପରି ଏହି ଘଟଣାକୁ କେନ୍ଦ୍ରକରି ମୃତ ବ୍ୟକ୍ତିଙ୍କ ପରିବାର ସହିତ ସ୍ଥାନୀୟ ଲୋକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପ୍ରଶାସନିକ ଅବହେଳା ଏବଂ କ୍ଷତିପୂରଣ ଦାବିରେ ଉତେଜନା ସୃଷ୍ଟି ହୋଇଥିଲା।. ଫଳରେ ଜାତୀୟ ରାଜପଥରେ ଗାଡି କଛି ସମୟ ପାଇଁ ଚଳାଚଳ ଠପ ହୋଇ ଯାଇଥିଲା। ଘଟଣା ସ୍ଥଳରେ ପ୍ରଥମେ ବୋଲଗଡ ପୋଲିସ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେବାରୁ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡ଼ିଓ ରେଡକ୍ରସ ପାଣ୍ଠିରୁ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ପରେ ରାସ୍ତା ଅବରୋଧ ହଟିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ