
ନୂଆପଡ଼ା, ୧୧ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ପାଲା ପରିଷଦର ଏକ ବୈଠକ ଖଡ଼ିଆଳ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଭାପତି ଅମୂଲ୍ୟ ମୁଣ୍ଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପାଲା କଳାକାର ମାନେ ଯୋଗଦେଇ ଚଳିତ ବର୍ଷ ହେବାକୁ ଥିବା ଦ୍ଵିତୀୟ ପାଲା ସମ୍ମିଳନୀ ଉପରେ ଆଲୋଚନା କରିଥିଲେ। ଆସନ୍ତା ରାମ ନବମୀ ତିଥିରେ ବିରିଘାଟ ଗ୍ରାମରେ ଏହି ସମ୍ମିଳନୀ ଆୟୋଜିତ ହେବ। ଉକ୍ତ ସମ୍ମିଳନୀରେ ଜିଲ୍ଲାର ତିରିଶିରୁ ଉର୍ଦ୍ଧ୍ବ ପାଲା ଦଳ ପାଲା ପରିବେଷଣ କରିବେ। ଅତିଥି ଗାୟକ ଭାବରେ ମଧ୍ୟ ଓଡ଼ିଶାର ନାମୀଦାମୀ ଗାୟକ ମାନଙ୍କୁ ନିମନ୍ତ୍ରଣ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ସେହିପରି ବରିଷ୍ଠ ପାଲା କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ପାଲା ଉପରେ ବିଭିନ୍ନ ତଥ୍ୟ ଭିତ୍ତିକ ନିବନ୍ଧକୁ ନେଇ ଏକ ସ୍ମରଣିକା ମଧ୍ୟ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
ବୈଠକରେ ବରିଷ୍ଠ ପାଲା ଗାୟକ ଅର୍ଜ୍ଜୁନ ଛତ୍ରିଆ, ଡୋଳାମଣି ଦଣ୍ଡସେନା, ପ୍ରଦୀପ କୁମାର କର, ପ୍ରଦ୍ୟୁମ୍ନ ସରାଫ, କୁନାଲ ଚରଣ ବେହେରା, ଦେବେନ୍ଦ୍ର ଭିତିରିଆ, ଶାମ୍ବ ସରାଫ, ଦୀନବନ୍ଧୁ ଛତ୍ରିଆ, ଚନ୍ଦ୍ର ଶେଖର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପରମେଶ୍ବର ବାରିକ, ହେମନ୍ତ କୁମାର ବେହେରା, ବାପିନା ସାହୁ ଓ ବ୍ଲକ କଳା ଓ ସଂସ୍କୃତି ସଂଘ ଖଡ଼ିଆଳର ଉପ ସଭାପତି ଜଗତ ନାଗ ବୈଠକରେ ସାମିଲ ହୋଇ ପାଲା ସମ୍ମିଳନୀ ଦ୍ଵାରା ଏ ଅଞ୍ଚଳରେ ପାଲା କଳାର ବିକାଶ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ