
ପୁରୀ, ୧୭ ଜାନୁଆରୀ (ହି.ସ.)- ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ନିଷ୍ପତି କ୍ରମେ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ରତ୍ନଭଣ୍ଡାର ଗଣତିମଣତି କରାଯିବ। ସେପଟେ ଏଣିକି ଖୋଲାଖୋଲି ଭାବେ ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ସେବାୟତ । ସେହିପରି ଭକ୍ତ ନିବାସରେ ପାର୍କିଂ ଫି’ ୫୦୦ ଟଙ୍କା ବଦଳରେ ଏଣିକି ଭକ୍ତଙ୍କୁ ଦେବାକୁ ହେବ ୨୪୦ ଟଙ୍କା ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ଆଜି ଏକ ୧୧ ପୃଷ୍ଠାର ଏସଓପି ପ୍ରସ୍ତୁତ କରାଯାଇଛି । କେଉଁମାନେ ଗଣତି କରିବେ ଏବଂ ନୀତିକାନ୍ତି ଅନୁଯାୟୀ ସମୟ ଧାର୍ଯ୍ୟ କରାଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏସଓପିକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ଗଣତି ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରାଯିବ । ଶୁଭ ଦିନ, ବେଳା ଓ ସମୟ ଦେଖି ଗଣତି ମଣତି କରାଯିବ । ଗଣତି ମଣତି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଶୁଭବେଳା ଦେଖି ନୂଆ ରତ୍ନପଲଙ୍କ ବ୍ୟବହାର କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ୧୦ ଟଙ୍କା ଫି’ ଦେଇ ଭକ୍ତ ପ୍ରବେଶ କରିପାରିବେ । ପ୍ରଶାସନ ପକ୍ଷରୁ ଜୋତା ଓ ମୋବାଇଲ ମାଗଣାରେ ରଖାଯିବ । ଦିବ୍ୟାଙ୍ଗ, ୮୦ ବର୍ଷରୁ ଉର୍ଦ୍ଧ୍ୱ ଭକ୍ତ ଏବଂ ଶିଶୁ ମାନଙ୍କ ନିମନ୍ତେ କୌଣସି ଫି’ ନିଆଯିବ ନାହିଁ । ସିଂହଦ୍ୱାର ଦଶଅବତାର ମୂର୍ତି ସ୍ଥାପନ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ । ଏଥି ସହିତ ସେବାୟତ କଲ୍ୟାଣ ଓ ବାସଗୃହ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହା କହିଛନ୍ତି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ପ୍ରତୀକ ସିଂହ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ