
ଭଦ୍ରକ, ୨ ଜାନୁଆରୀ (ହି.ସ.) - କନିକା ଅଂଚଳର ଉନ୍ନତି ପାଇଁ ଆଜୀବନ ସଂଗ୍ରାମ କରିଥିବା ତଥା ଭାରତୀୟ ସ୍ୱାଧିନତା ପୃଷ୍ଠ ଭୁମିରେ କନିକା କୃଷକ ଆନ୍ଦୋଳନର ପ୍ରମୂଖ ଭୂମିକା ନେଇଥିବା ପ୍ରଜାନେତା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘେଂଟଶ୍ୱର ଅଂଚଳର ବିପ୍ଳବୀ ଚକ୍ରଧର ବେହେରାଙ୍କ ୫୩ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ବିପ୍ଳବୀ ବୀର ଚକ୍ରଧର ବିଦ୍ୟାପୀଠ ପରିସରରେ ପାଳିତ ହୋଇ ଯାଇଛି । ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ନିଜର ଆଦର୍ଶଭାବେ ଗ୍ରହଣ କରି ସରକାରୀ ଚାକିରୀ ଛାଡି କନିକା ଅଂଚଳର ପ୍ରଜାମାନଙ୍କ ପାଇଁ ତତ୍କାଳୀନ ରାଜାଙ୍କ ଅତ୍ୟାଚାରରୁ ମୁକ୍ତି ପ୍ରଦାନ କରିବା ପାଇଁ ବିପ୍ଳବୀ ଚକ୍ରଧର ସାଲିସ ବିହୀନ ସଂଗ୍ରାମ କରିଥିଲେ । ତାଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ଆନ୍ଦୋଳନ ଯାହା ସମଗ୍ର ଭାରତରେ ପ୍ରଥମ କୃଷକ ଆନ୍ଦୋଳନ ଉଗ୍ରରୂପ ନେଇଥିଲା । ସମଗ୍ର ଭାରତ ବର୍ଷରେ ଯେଉଁ କେତେକ ସ୍ଥାନରେ କୃଷକ ଆନ୍ଦୋଳନକୁ କଂଗ୍ରେସ ଆପଣାର କର୍ମକାଣ୍ଡ ଭାବେ ଆପଣେଇଥିଲା ବେଳେ ତନ୍ମଧ୍ୟରୁ ଗୁଜରାଟର ବନ୍ଦୋଳି, ବିହାରର ଚମ୍ପାରାଣୀ ଓ ଓଡିଶାର କନିକା ଥିଲା ପ୍ରଧାନ । ପ୍ରଜାନେତା ବିପ୍ଳବୀ ଚକ୍ରଧର ବେହେରା ଥିଲେ କନିକା ଗାନ୍ଧି ବୋଲି ବିପ୍ଳବୀ ଚକ୍ରଧର ସ୍ମୃତି ସଂସଦ ଆନୁକୂଲ୍ୟରେ ୫୩ତମ ମୃତ୍ୟୁ ବାର୍ଷିକ ସମାରୋହ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିପ୍ଲବୀ ଚକ୍ରଧର ସ୍ମୃତି ସଂସଦର ସ୍ଥାୟୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ସତ୍ୟାନନ୍ଦ ରାଉତଙ୍କ ପୌରୋହିତ୍ୟରେ , ଆଇନ୍ଜୀବି ଉପେନ୍ଦ୍ର ରାଉଳ,ଗିରିଧାରୀ ନାଥ, ଶିକ୍ଷକ ନେତା ପ୍ରଭାକର ପରିଡା, ଗୋପୀନାଥ ପୁର ସରପଂଚ ବାପୁନ ବାରିକ ସଂଯୁକ୍ତା ଭାରତୀ,ବିକାଶ ନାଥ ପ୍ରମୁଖ ଯୋଗଦେଇ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ