
କୋରେଇ, ୨୪ ଜାନୁଆରୀ (ହି.ସ.)- ପବିତ୍ର ମାଘ ସପ୍ତମୀ ୨୫ ତାରିଖରୁ ଆରମ୍ଭ ହେବ କରଦା ହରିହାଟ ମେଳା । ୨୭ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମହୋତ୍ସବ । ଚଳିତ ବର୍ଷ ଏହାକୁ ସରସ ସୁନ୍ଦର କରିବା ପାଇଁ ମେଳା ଓ ମହୋତ୍ସବ କମିଟି ପକ୍ଷରୁ ଆହୂତ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦିଆଯାଇଛି । ୨୫ ତାରିଖରୁ ନିର୍ବେଦ ଯଜ୍ଞ, ନାମ ଯଜ୍ଞ ଅନୁଷ୍ଠିତ ହେବ । ମେଳା ପାଇଁ ସାଧୁସନ୍ଥ ସମ୍ମିଳନୀ ସହ ବିଭିନ୍ନ ଷ୍ଟଲ, ଦୋଳି, ମୀନାବଜାର କରାଯିବ । ୨୬ ତାରିଖରୁ ଆରମ୍ଭ ମହୋତ୍ସବରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବଛା ବଛା ନୃତ୍ୟଦଳ ନୃତ୍ୟ ପରିବେଷଣ କରିବେ । ପ୍ରତିଦିନ ସନ୍ଧ୍ୟାରେ ଓଡିଶାର କଳା, ଐତିହ୍ୟ, ସଂସ୍କୃତି ସମ୍ବନ୍ଧରେ ଆଲୋଚନା କରାଯିବ । ପଲିଶ୍ରୀ ମେଳା, ସରକାରୀ ଓ ବେସରକାରୀ ବିପଣୀ ବସିବ । ଓଡିଆ ଚଳଚିତ୍ର ଜଗତର ସିନେ ତାରକା, ସେଲିବ୍ରିଟି ଓ ଗାୟକ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ମେଳା ଓ ମହୋତ୍ସବକୁ ଅତ୍ୟାଧୁନିକ ଭାବେ କରାଯିବା ସହ ପାଣିକୋଇଲି ପୁଲିସ ପକ୍ଷରୁ ଶାନ୍ତି ଓ ଶୃଂଖଳା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯିବାକୁ ନିଷ୍ପତି ନିଆଯାଇଛି । କରଦା ଗ୍ରାମ ପଂଚାୟତ, କୋରେଇ ପତ୍ରକାର ସଂଘ, ବିଭିନ୍ନ ସାମାଜିକ ସଂଗଠନ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ