
ଧର୍ମଶାଳା,୨୪ ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ସିଦ୍ଧପୀଠ ଗଲଗଲି ଶଙ୍ଖଠାରେ ୧୪ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶଙ୍ଖ ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ପ୍ରାଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିତାକାଟି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କଲିକତା ଶାନ୍ତି ନିକେତନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବୈଷ୍ମବ ଚରଣ ସାମଲ ଯୋଗଦେଇ ସତ୍ୟ କର୍ମ କରିବା ସହିତ ହୃଦୟ ମନକୁ ଶୁଦ୍ଧ ରଖିବା ହେଉଛି ଆଧ୍ୟାମିôକ ଚିନ୍ତନର ପ୍ରକୃତ ମାର୍ଗ ଅଟେ ବୋଲି ମବ୍ୟକ୍ତ କରିଥିଲେ । ଉତ୍ସବରେ ସ୍ୱାମୀ ଦିନଦୟାଲ ସରସ୍ୱତୀ ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଉତ୍ସବର ସଫଳତା କାମନା କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । କୋତପୁରର ପୂର୍ବତନ ସରପଂଚ ସନ୍ତୋଷ କୁମାର ଜେନା, କଂଟିଗଡିଆ ସମିତିସଭ୍ୟ ଅରୁପାନନ୍ଦ ଜେନା, କମିଟି ସଭାପତି ବିବେକାନନ୍ଦ ଦାସ, ସମ୍ପାଦକ ପ୍ରଶାନ୍ତ ଜେନା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ମଂଚାସୀନ ଅତିଥିମାନଙ୍କଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଅତିଥିମାନେ ଯଜ୍ଞର ଉଦ୍ୟୋକ୍ତା ତଥା ପ୍ରତିଷ୍ଠାତା ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ ରବି ଲାବଣ୍ୟଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପୂର୍ବାହ୍ନରେ ବିଶ୍ୱଶାନ୍ତି ମହାଯଜ୍ଞ ଅବସରରେ ଏକ କଳସ ଯାତ୍ରା ଆୟୋଜିତ ହୋଇଥିଲା । କଳସଯାତ୍ରାରେ ଆଖପାଖ ୬ ଗୋଟି ପଂଚାୟତର ମହିଳାମାନେ ସାମିଲ ହୋଇଥିଲେ । ମହିଳାମାନେ ସ୍ଥାନୀୟ ଖଡିଅଙ୍ଗ ନଦୀରୁ କଳସରେ ଜଳ ଆଣିବାପରେ ଯଜ୍ଞ ବେଦୀରେ ପ୍ରତିଷ୍ଠା କରାଯାଇଥିଲା । ଗୋରେଖ ଚୈତନ୍ୟ, ଦୟାନିଧି ଦାଶ, ବ୍ରଜକିଶୋର ମହାନ୍ତି, ସୁଶାନ୍ତ ନାଏକ, ରସାନନ୍ଦ ଦାସ, ଝୁନାରାଣୀ ମିଶ୍ର,ରାଧାରାଣୀ ମିଶ୍ର, ସବିତାମଞ୍ଜରୀ ବିଶ୍ୱାଳ, ମିନତୀ ପଣ୍ଡା, ରଶ୍ମିତା ନାଏକ ପ୍ରମୁଖ ଉତ୍ସବ ଆୟୋଜନରେ ସହଯୋଗ କରିଥିଲେ । ଆଇନଜୀବୀ ଶ୍ୟାମପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଭାରତୀୟ ନାଟ୍ୟ ଏକାଡେମୀ ନାନପୁର ମହାଙ୍ଗା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ