
ନୂଆଦିଲ୍ଲୀ, 28 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି ଯେ ବଦଳୁଥିବା ସମୟ ସହ
ସମନ୍ୱୟ ରଖିବା ପାଇଁ ଆୟୁର୍ବେଦରେ ଆଧୁନିକ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର
ବ୍ୟବହାର ବଢ଼ାଇବା ଆବଶ୍ୟକ। ସେ କହିଛନ୍ତି ଯେ ଆଧୁନିକ ପ୍ରଯୁକ୍ତି ଓ ଏଆଇ ରୋଗଗୁଡ଼ିକର
ପୂର୍ବାନୁମାନ କ୍ଷମତାକୁ ବଢ଼ାଇବା ସହିତ ଚିକିତ୍ସାର ନୂଆ ଉପାୟକୁ ସମ୍ଭବ କରିପାରିବ।
ପ୍ରଧାନମନ୍ତ୍ରୀ କେରଳର ଆର୍ଯ୍ୟ ବୈଦ୍ୟଶାଳା ଚାରିଟେବଲ୍ ହସ୍ପିଟାଲର ଶତାବ୍ଦୀ ଉତ୍ସବକୁ
ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ଆର୍ଯ୍ୟ ବୈଦ୍ୟଶାଳା ଏହା ସାବ୍ୟସ୍ତ
କରିଛି ଯେ ପରମ୍ପରା ଓ ଆଧୁନିକତା ସହଯୋଗରେ ଆଗକୁ ବଢ଼ିପାରେ ଏବଂ ସ୍ୱାସ୍ଥ୍ୟ ସେବା ଲୋକମାନଙ୍କ
ଜୀବନରେ ବିଶ୍ୱାସର ଦୃଢ଼ ଭିତ୍ତି ତିଆରି କରିପାରେ।
ମୋଦି କହିଛନ୍ତି ଯେ ଆର୍ୟ ବୈଦ୍ୟଶାଳା ଆୟୁର୍ବେଦର ପ୍ରାଚୀନ ପରମ୍ପରାକୁ ସଂରକ୍ଷଣ କରିବା
ସହିତ ଆଧୁନିକ ଆବଶ୍ୟକତାକୁ ଗ୍ରହଣ କରିଛି, ଚିକିତ୍ସା ପଦ୍ଧତିଗୁଡ଼ିକୁ ସୁସଂଗଠିତ
କରିଛି ଏବଂ ରୋଗୀମାନଙ୍କ ପର୍ଯ୍ୟନ୍ତ ପ୍ରଭାବଶାଳୀ ସେବା ପହଞ୍ଚାଇଛି। ସଂସ୍ଥାନର ୧୨୫ ବର୍ଷର
ଯାତ୍ରାକୁ ସ୍ମରଣ କରି ସେ କହିଛନ୍ତି ଯେ ଏହା ଆୟୁର୍ବେଦକୁ ଏକ ସଶକ୍ତ ଚିକିତ୍ସା ପ୍ରଣାଳୀ ଭାବେ
ପ୍ରତିଷ୍ଠିତ କରିଛି। ସେ ପ୍ରତିଷ୍ଠାତା ବୈଦ୍ୟରତ୍ନମ୍ ପି.ଏସ୍. ୱାରିଅରଙ୍କ ଅବଦାନକୁ ସ୍ମରଣ
କରି କହିଛନ୍ତି ଯେ ଜନକଳ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଆଜି ମଧ୍ୟ ପ୍ରେରଣାଦାୟକ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆର୍ଯ୍ୟ ବୈଦ୍ୟଶାଳା ଭାରତର ସେହି ଚିକିତ୍ସା ପରମ୍ପରାର
ଜୀବନ୍ତ ପ୍ରତୀକ, ଯାହା ସଦୀୟଧରି ମାନବତାର ସେବା କରିଆସୁଛି। ସେ କହିଛନ୍ତି ଯେ
ଆୟୁର୍ବେଦ କେବେ ବି କୌଣସି ଏକ କାଳ କିମ୍ବା ଅଞ୍ଚଳରେ ସୀମିତ ରହିନାହିଁ,
ବରଂ
ପ୍ରତ୍ୟେକ ଯୁଗରେ ଜୀବନକୁ ବୁଝିବା, ସନ୍ତୁଳନ ସୃଷ୍ଟି କରିବା ଓ ପ୍ରକୃତି ସହ
ସମନ୍ୱୟ ସ୍ଥାପନ କରିବାର ପଥ ଦେଖାଇଆସିଛି। ସେ କହିଛନ୍ତି ଯେ ଆଜି ଆର୍ଯ୍ୟ ବୈଦ୍ୟଶାଳା ୬୦୦ରୁ
ଅଧିକ ଆୟୁର୍ବେଦିକ ଔଷଧ ଉତ୍ପାଦନ କରୁଛି ଏବଂ ଦେଶ-ବିଦେଶରେ ଥିବା ଏହାର ହସ୍ପିଟାଲଗୁଡ଼ିକ ୬୦ରୁ
ଅଧିକ ଦେଶର ରୋଗୀମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା