
ଶିମଲା, ୮ ଜାନୁଆରୀ (ହି.ସ.)- ହିମାଚଳ ପ୍ରଦେଶ ହାଇକୋର୍ଟକୁ ପୁଣି ଥରେ ବୋମା ଧମକ ମିଳିଛି । ଗୁରୁବାର ସକାଳେ ଏକ ଅଜ୍ଞାତ ଇମେଲ୍ ମାଧ୍ୟମରେ ହାଇକୋର୍ଟକୁ ଏହି ଧମକ ମିଳିଛି । ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ତୁରନ୍ତ ସତର୍କ କରାଯାଇଥିଲା । ସୂଚନା ପାଇବା ପରେ, ପୋଲିସ, ବୋମା ନିଷ୍କାସନକାରୀ ଦଳ ଏବଂ ସନ୍ଧାନୀ କୁକୁର ଟିମ୍ ହାଇକୋର୍ଟ ପରିସରରେ ପହଂଚି ସମଗ୍ର ଅଂଚଳକୁ ସମ୍ପୂର୍ଣ୍ଣ ତଲାସୀ କରିଥିଲେ । ତଥାପି, କିଛି ଘଂଟା ଧରି ଚାଲିଥିବା ଏହି ଅଭିଯାନ ସମୟରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା ।
ରିପୋର୍ଟ ଅନୁଯାୟୀ, ସକାଳେ ହାଇକୋର୍ଟର ସରକାରୀ ୱେବସାଇଟ ସହିତ ଲିଙ୍କ୍ ହୋଇଥିବା ଇମେଲ୍ ସିଷ୍ଟମରେ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ସୂଚନା ପାଇବା ପରେ, ପୋଲିସ ଅଧିକାରୀମାନଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ହାଇକୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଥିଲା । କୋର୍ଟ ପରିସରକୁ ଆସୁଥିବା ଓ ଯାଉଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଥିଲା ଏବଂ ପ୍ରତ୍ୟେକ କୋଣକୁ ସମ୍ପୂର୍ଣ୍ଣ ଯାଂଚ୍ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ